ଲୋକୋ ପାଇଲଟଙ୍କୁ ଅପହରଣ, ଟଙ୍କା ଲୁଟ୍ ପରେ ଛାଡ଼ିଦେଇ ଫେରାର ହେଲେ ଦୁର୍ବୃତ୍ତ

ରାଉରକେଲା : ରାଉରକେଲା ରେଳବାଇରେ କାର୍ଯ୍ୟ କରୁଥିବା ଲୋକୋ ପାଇଲଟଙ୍କୁ ଅପହରଣ ଓ ଟଙ୍କା ଲୁଟ୍ ପରେ ରାସ୍ତାରେ ଛାଡ଼ିଦେଇ ଫେରାର ହେବା ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଛି । ସୂଚନା ଅନୁଯାଇ, ଛେଣ୍ଡ କଲୋନୀ ନିକଟସ୍ଥ ଆରଡ଼ିଏ କଲୋନୀରେ ରହୁଥିବା ନିହାର ସରକାର ଖାଇସାରି ନିଜ ଘର ନିକଟସ୍ଥ ରାସ୍ତାରେ ବୁଲୁଥିବା ବେଳେ ହଠାତ୍ ଗୋଟିଏ କାର ପହଞ୍ଚି ଅପହରଣ କରିନେଇଥିଲେ ।
ଗତକାଲି ରାତି ୯.୪୦ରେ ତିନି ଦୁର୍ବୃତ୍ତ ମାଡ଼ ମାରି କାରରେ ବସାଇ କରିଥିଲେ ଅପହରଣ । ଛେଣ୍ଡ କଲୋନୀ ନିକଟସ୍ଥ ରେଲୱେ ଲାଇନ ନିକଟରୁ ଅପହରଣ କରିନେବା ପରେ ୧୫ରୁ ୨୦ କିଲୋମିଟର ନେଇ ଯାଇଥିଲେ । ବନ୍ଦ କାର ଭିତରେ ମାଡ଼ ମାରିବା ସହ ହତ୍ୟା ଧମକ ଦେଇ ୧ଲକ୍ଷ ୭୦ ହଜାର ସହ ପିନ୍ଦିଥିବା ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି ଛେଣ୍ଡ ଥାନାରେ ।
ବିଳମ୍ବିତ ରାତିରେ ଆଣି ବାଲୁଘାଟ ନିକଟରେ ଛାଢ଼ିଦେଇ ଅପହରଣକାରୀମାନେ ଫେରାଇ ହୋଇଯିବା ପରେ କିଛି ବାଟ ଚାଲିବା ପରେ ଅନ୍ୟର ଫୋନ ସାହାଯ୍ୟରେ ଘରକୁ ଘଟଣା ସମ୍ପର୍କରେ ଜଣାଇଥିଲେ । ପରିବାର ଲୋକଙ୍କ ସହ ପୋଲିସ ଯାଇ ଘଟଣା ସ୍ଥଳରେ ପହଚି ନିହାରଙ୍କୁ ଉ଼ଦ୍ଧାର କରିଥିବା ବେଳେ ଛେଣ୍ଡ ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୋଲିସର ତଦନ୍ତ ଆରମ୍ଭ ହୋଇଛି ।