ମୁଣ୍ଡରେ ହେଲମେଟ ମୁହଁରେ ମାସ୍କ ପିନ୍ଧି ଆସିଲେ, ମାରଣାସ୍ତ୍ର ଦେଖାଇ ଦେଢ଼ ଲକ୍ଷ ଟଙ୍କା ସହ ମଦ ଲୁଟିନେଲେ
ତାଳଚେର: ସାବଧାନ୍ ମାତିଛନ୍ତି ଡକାୟତ । ଛକିଲେ, ଧରିଲେ ଆଉ ମାରଣାସ୍ତ୍ର ଦେଖାଇ ଚମ୍ପଟ ମାରିଲେ । କିଛି ଏଭଳି ଭାବରେ ଲାଇଭ ଲୁଟର ଚିତ୍ର ସାମ୍ନାକୁ ଆସିଛି । ଲୁଟର ଭିଜୁଆଲ କଏଦ ହୋଇଛି ସିସିଟିଭିରେ । ମଦ ଦୋକାନ ଭିତରେ ବେଶ କିଛି ସମୟ ଉତ୍ପାତ ମଚାଇଲେ ଡକାୟତ । ତାଳଚେର ଗୁରୁଜାଙ୍ଗ ଠାରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା ।
ଗୁରୁଜାଙ୍ଗରେ ଥିବା ବିଦେଶୀ ମଦ ଦୋକାନ ଭିତରେ ହଠାତ୍ ତିନି ଦୁର୍ବୁତ୍ତ ବନ୍ଧୁକ ଏବଂ ଖଣ୍ଡା ଧରି ପଶିଲେ । ଆଉ ଆତଙ୍କ ଖେଳାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା ସହ ମଦ । ସୂଚନା ଅନୁସାରେ ତିନି ଜଣ ଦୁର୍ବୁତ୍ତ ମୁଣ୍ଡରେ ହେଲମେଟ, ମୁହଁରେ ମାସ୍କ ପିନ୍ଧି ବାଇକରେ ଆସିଲେ ଏବଂ ବାଇକ୍ ବାହାରେ ରଖି ଦୋକାନ ଭିତରକୁ ପ୍ରବେଶ କଲେ । ହାତରେ ଥିଲା ବନ୍ଧୁକ ସହ ଭୁଜାଲି । ଯାହାକୁ ଦେଖାଇ ବିଦେଶୀ ମଦ ଦୋକାନ ଭିତରେ ପଶି ଆତଙ୍କ ଖେଳାଇଲେ । ଦୋକାନୀଙ୍କୁ ଭୟବିତ କରାଇ ଲୁଟିନେଲେ ପାଖାପାଖି ଦେଢ଼ ଲକ୍ଷ ଟଙ୍କା ସହ ମଦ ।
ଭିଜୁଆଲ୍ ରେ ଯାହା ଦେଖିବାକୁ ମିଳିଛି କି, ଦୋକାନ ଭିତରେ କ୍ୟାସିଅରକୁ ପ୍ରଥମେ ଧମକ ଦେବା ସହ ଆତଙ୍କ ଖେଳାଇଲେ । କ୍ୟାସ କାଉଣ୍ଟରରେ ଥିବା ପାଖାପାଖି ଦେଢ଼ ଲକ୍ଷ ଟଙ୍କା ନିଜ ବ୍ୟାଗ୍ ଭିତରେ ରଖି ଘଟଣାସ୍ଥଳରୁ ଚମ୍ପଟ ମାରିଲେ । ଖାଲି ସେତିକି ନୁହେଁ ଖାଲି ଟଙ୍କା ନେଇ ମନ ବୁଝିଲାନି ପରେ ମଦ ଦୋକାନରୁ କିଛି ମଦ ବୋତଲ ଧରି ଫେରାର୍ ମାରିଲେ ତିନି ଦୁର୍ବୁତ୍ତ ।ଯାହାର ସମସ୍ତ ଚିତ୍ର ଏବେ ସିସିଟିଭିରେ କଏଦ ହୋଇଛି । ଏହି ଘଟଣା ପରେ ଉକ୍ତ ବିଦେଶୀ ମଦ ଦୋକାନର ସମସ୍ତ କର୍ମଚାରୀ ଭୟଭୀତ ହୋଇପଡିଥିବାବେଳେ, ତାଳଚେର ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
ଏପଟେ ଏନେଇ ଜାଣିବା ପରେ ପୋଲିସ୍ ସିସିଟିଭି ଆଧାରରେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ତେବେ ଗୋଡିବନ୍ଧ ଫାଣ୍ଡିର ଏକ କିଲୋମିଟର ଦୂରତା ଭିତରେ ମଦ ଦୋକାନ ରହିଥିବା ବେଳେ ଏଭଳି ଲୁଟକୁ ନେଇ ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତ ଦୁଇ ମାସ ଭିତରେ ତାଳଚେର ଥାନା ଅଞ୍ଚଳରେ ୪୦ ରୁ ଅଧିକ ଚୋରି ଏବଂ ଲୁଟକୁ ନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ଅଧାରୁ ଅଧିକ ମାମଲାରେ ପୋଲିସର ହାତ ଖାଲି । ତେବେ ଆଗକୁ ଇଂରାଜୀ ନବବର୍ଷ ପାଖେଇ ଆସୁଥିବା ବେଳେ ଲୁଟେରା ମାନେ ତାଳଚେର ପୋଲିସକୁ ଏକ ପ୍ରକାରର ଖୋଲା ଚ୍ୟାଲେଞ୍ଜ ଦେଇ ଚଳାଇଛନ୍ତି ଲୁଟତରାଜ୍।