ବାଲୁଗାଁ : ଜାତୀୟ ରାଜପଥରେ ବନ୍ଧୁକ ମୂନରେ ଡକାୟତି । ତିନି ରାଉଣ୍ଡ ବ୍ଲାଙ୍କ ଫାୟାର କରି ୮ ଲକ୍ଷ ୩୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ବାଣପୁର ଥାନା ୧୬ ନଂ ଜାତୀୟ ରାଜପଥର ବାଣପୁର ଓଭରବ୍ରିଜ ନିକଟରେ ହୋଇଛି ଡକାୟତି । ଏକ କାରରେ ଟଙ୍କା ନେଇ ଯାଉଥିବା ବେଳେ ହଠାତ ଏକ ପଲସରରେ ଆସି କାରକୁ ଅଟକାଇଥିଲେ ୩ ମୁଖା ପିନ୍ଧା ଦୁର୍ବୃତ୍ତ । ଡ୍ରାଇଭର ଡୋର ଭାଙ୍ଗି ଆଗ ସିଟରେ ବସିଥିବା ବ୍ୟକ୍ତିଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ । ପରେ ୩ ରାଉଣ୍ଡ ବ୍ଲାଙ୍କ ଫାୟାର କରି ଟଙ୍କା ଭର୍ତ୍ତି ବ୍ୟାଗ ନେଇ ଖୋର୍ଦ୍ଧା ଆଡ଼କୁ ପଳାଇଥିଲେ । ଅଭିଯୋଗ ପରେ ବାଣପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏକ ଚାଉଳ ମିଲର ୨ କର୍ମଚାରୀ କେଶପୁର, ବାଲୁଗାଁ ଓ ବାଣପୁରରୁ କଲେକ୍ସନ କରି ଫେରୁଥିଲା ବେଳେ ଡକାୟତି ହୋଇଛି ।