ନିର୍ବାଚନୀ ପ୍ରଚାର ବାହାନାରେ ଆସିଲେ ଘରେ କଳାକନା ବୁଲାଇଦେଲେ

ନବରଙ୍ଗପୁର(କେନ୍ୟୁଜ୍): ନିର୍ବାଚନକୁ ଆଢୁଆଳ କରି ଡକାୟତିର ନୂଆ ତରିକା । ନିର୍ବାଚନ ପ୍ରଚାର ବାହାନାରେ ଆସି ଡକାୟତି ।  ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଝାହାଜଭଟ୍ଟା ଗାଁରେ ୩ ଜଣ ମୁଖା ପିନ୍ଧା ଦୁର୍ବୁତ୍ତ ଜଣେ ମହିଳାଙ୍କ ଘରେ  ନିର୍ବାଚନ ପ୍ରଚାର ବାହାନାରେ ପସି ବେକରେ ଛୁରୀ ଲଗାଇ ସୁନା ଓ ଟଙ୍କା ନେଇଯାଇଥିବା କୋଡ଼ିଙ୍ଗା ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଝାହାଜଭଟ୍ଟା ଗାଁର ମୁକୁନ୍ଦ ହରିଜନଙ୍କ ସ୍ତ୍ରୀ ପିଙ୍କି ହରିଜନ ଘରେ ଏକୁଟିଆ ଥିବା ସମୟରେ  ସନ୍ଧ୍ୟା ପ୍ରାୟ ସାଢେ ୭ଟା ବେଳେ ତିନି ଜଣ ମୁଖା ପିନ୍ଧା ଦୁର୍ବୁତ୍ତ ତାଙ୍କ ଘରକୁ ଯାଇ ଆମେ ନିର୍ବାଚନ ପାଇଁ ପ୍ରଚାର କରିବାକୁ ଆସିଛୁ ଓ ଆମ ଚିହ୍ନରେ ଭୋଟ ଦେବ କହି କବାଟ ବାଡେଇ ଡାକିଥିଲେ ।

ପିଙ୍କି କବାଟ ଖୋଲିବା ବେଳେ ତିନି ଜଣ ଦୁର୍ବୁତ୍ତ ପିଙ୍କିଙ୍କ ବେକରେ ଛୁରୀ ଲଗାଇ  ଗଡ଼ରେଜର ଚାବି ମାଗିଥିଲେ । ପାଟିକଲେ ଜୀବନରେ ମାରିଦେବୁ କହିବାରୁ ମହିଳା ଜଣକ  ଗଡରେଜ୍ ଚାବି ସେମାନଙ୍କୁ ଦେଇଦେଲେ । ଦୁର୍ବୁତ୍ତ ମାନେ ଗଦରେଜରୁ ଦେଢ଼ ଭରି ଓଜନର ସୁନା ହାର , ହଳେ ସୁନାର କାନ ଫୁଲ ଓ ନଗଦ ୭୦ ହଜାର ଟଙ୍କା ଲୁଟି ନେଇଥିବା ଏତଲାରେ ଜଣାଇଛନ୍ତି । ଏତଲା ପାଇ କୋଡ଼ିଙ୍ଗା ଥାନା ଅଧିକାରୀ ଦୁର୍ଗା ମାଧବ ବାଗ ଘଟଣା ସ୍ଥଳକୁ ଯାଇ ସନ୍ଧାନୀ କୁକୁରର ସାହାଯ୍ଯରେ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.