ଝିଅ ବାହାଘର ପାଇଁ ରଖିଥିଲେ ସୁନା ଗହଣା ସହ ନଗଦ ଟଙ୍କା, ଝରକା ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ

କେନ୍ଦୁଝର: ଘର ଭିତରେ ଏଣେ ତେଣେ ଖେଳା ହୋଇ ପଡ଼ିଛି ଆସବାବ ପତ୍ର । ଖୋଲା ପଡ଼ିଛି ଗଡ୍ରେଜ୍‌ ଲକର । ଆଉ ଭଙ୍ଗା ହୋଇଛି ଝରକା ଗ୍ରୀଲ । ଏପେଟେ ହୋ ହାଲ୍ଳା ପାଟିତୁଣ୍ଡ ସହ କାନ୍ଦୁଛନ୍ତି ପରିବାର ଲୋକେ । କାହିଁକି ନାଁ ଏହି ପରିବାର ସହ ଯାହା ଘଟିଯାଇଛି ତାହା କେହି କେବେ ସ୍ୱପ୍ନରେ ସୁଦ୍ଧା ଭାବି ନଥିବେ ।

ଝିଅ ବାହାଘର ପାଇଁ ଘରେ ରଖିଥିଲେ ସୁନା ଗହଣା ସହ ନଗଦ ଟଙ୍କା । ହେଲେ ରାତି ପାହି ସକାଳ ହେଲା ବେଳକୁ ଘରେ କଳାକନା ବୁଲାଇ ଦେଇଛନ୍ତି ଚୋର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିିଳିଛି କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ ହାଟଡ଼ିହି ଗାଁରେ ।

ଝରକା ଗ୍ରୀଲ ଭାଙ୍ଗି ୧୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଗତକାଲି ରାତିରେ ପରିବାର ଲୋକେ ଘରେ ଶୋଇବା ପରେ ଦୁର୍ବୁତ୍ତ ମାନେ ଝରକା ଗ୍ରୀଲ ଭାଙ୍ଗି ଘର ଭିତରେ ଗଡରେଜ ଖୋଲି ତା ଭିତରେ ଥିବା ନଗଦ୧୦ ହଜାର ଟଙ୍କା ସମେତ ଝିଅ ବାହାଘର ପାଇଁ ରଖିଥିବା ୧୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ଗହଣା ଲୁଟି ନେଇଥିଲେ । ରାତି ୨ଟା ବେଳେ ବଡ ଝିଅ ଉଠି କବାଟ ଭିତରପଟୁ ବନ୍ଦ ଥିବା ଦେଖି ପରିବାର ଲୋକଙ୍କୁ ଡାକିବା ପରେ ଲୁଟ ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିବା ପରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୁଣ୍ଡ ଉପରେ ଝିଅ ବାହାଘର ଥିବାରୁ ଏନେଇ ଚିନ୍ତାରେ ପୂରା ପରିବାର ।