ସୁନା ଟଙ୍କା ନେଇ ଗାମୁଛା ଛାଡ଼ି ଦେଇଗଲା ଚୋର
ମାର୍ଶାଘାଇ: ଗାଁ ହେଉ କି ସହର ସବୁଠି ଏବେ ଲୁଟେରା ମାନଙ୍କ ପ୍ରାଦୂର୍ଭାବ ବଢିବାରେ ଲାଗିଛି । ଯାହାକୁ ନେଇ ସାଧାରଣ ଲୋକ ପୁରା ଅତିଷ୍ଠ ହୋଇ ପଡିଲେଣି । କାହାରିକୁ ଭୟ ନ କରି ନିଜର ଆତଙ୍କରାଜ୍ ଚଳାଇଛନ୍ତି ଲୁଟେରା । ଏମିତି ପୁଣି ଏକ ଘଟଣା ଘଟିଛି କେନ୍ଦ୍ରାପଡା କୁଦାନଗରି ଥାନା ଅଞ୍ଚଳରେ । ତାଲା ଭାଙ୍ଗି ଘରେ ପଶି କଳାକନା ବୁଲାଇଛନ୍ତି ଦୁର୍ବୁତ୍ତ ।
ସୂଚନା ମୁତାବକ, ଦୁଇ ଦିନ ତଳେ ବେଉଳ ଗ୍ରାମରୁ ଗ୍ରିଲ୍ କାଟି ନଗଦ ୫୦ ହଜାର ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଗହଣା ନେଇ ଫେରାର୍ ମାରିଛନ୍ତି ଲୁଟେରା । ହେଲେ ଛାଡି ଯାଇଥିଲେ ଜୋତା । ସେହିପରି ଗତକାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତ ମାନେ କୁଦାନଗରି ଥାନା ରାଇବୋଲ ଗାଁର ପ୍ରତାପ ବେଉରାଙ୍କ ଘର କବାଟ ତାଡି ସବୁ ଲୁଟି ନେଇଛନ୍ତି । ତାଙ୍କର ଅନ୍ୟ ଏକ ଘର ବାହାରୁ କୋଲପ ପକାଇ ନଗଦ ୨୦ ହଜାର ଟଙ୍କା ସହ ସୁନା ରୁପା ନେଇ ଛୁ ମାରିଛନ୍ତି । ଆଉ ଛାଡିଯାଇଛନ୍ତି ଏହି ନିଳ ଗାମୁଛା । ତେବେ ଏନେଇ କୁଦାନଗରି ଥାନାରେ ଅଭିଯୋଗ ପରେ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ତେବେ ବାରମ୍ବାର ଏଭଳି ଘଟଣା ଘଟୁଥିଲେ ସୁଦ୍ଧା ଚୋର ଧରିବା ପାଇଁ ପୋଲିସର ନିସ୍କ୍ରୟତା ଉପରେ ଲୋକମାନେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିକଟରେ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି । ବିଧାୟକ କହିଛନ୍ତି ତୁରନ୍ତ ଏଦିଗରେ ପଦକ୍ଷେପ ନିଆଯିବ ।
ଦୈନିକ ଚୋରି, ଲୁଟ୍ ଘଟଣା ବଢିବାରେ ଲାଗିଥିବାବେଳେ, କେଉଁଠି ଦୁର୍ବୁତ୍ତ ମାନେ ଚୋରି କରିବା ପରେ ଜୋତା ଛାଡି ଯାଉଛନ୍ତି ତ, କେଉଁଠି ଗାମୁଛା ଛାଡି ଯାଉଛନ୍ତି । ସବୁଠାରୁ ବଡ କଥା ହେଲା କି, ଦୁର୍ବୁତ୍ତଙ୍କ ପାଖରେ ପୋଲିସ୍ ପହଞ୍ଚିବା ବିଫଳ ହେଉଛି । ତେବେ ଦିନକୁ ଦିନ ବଢିଚାଲିଛି ଏମାନଙ୍କ ଉତ୍ପାତ । ଯେତେ କଠୋର ଦଣ୍ଡ ବିଧାନ ହେଲେ ସୁଦ୍ଧା ଏମାନଙ୍କ ଉପରେ ପଡୁନି ଫରକ୍ । ବିଭିନ୍ନ ସମୟରେ ନୂଆ ନୂଆ ଉପାୟ ଅବଲମ୍ବନ କରି ଲୁଟୁଛନ୍ତି ନିରିହ ଲୋକଙ୍କୁ । ଯାହା ପୋଲିସ୍ ପାଇଁ ପାଲଟିଛି ମୁଣ୍ଡ ବିନ୍ଧାର କାରଣ ।