ଜଗନ୍ନାଥଙ୍କ ତିନୋଟି ମଥା ମଣି ସହ ହୁଣ୍ଡି ଭାଙ୍ଗି ଲୁଟିନେଲେ ଦୁର୍ବୁତ୍ତ

ଅନୁଗୁଳ: ଏମିତି କଳିଯୁଗ ଆସିଲା ଏଠି ମଣିଷ ତ ଦୁରର କଥା ଭଗବାନଙ୍କୁ ବି ଡରୁନାହାନ୍ତି ଦୁର୍ବୁତ୍ତ । ନିଜ ସ୍ୱାର୍ଥ ପାଇଁ ଜଗତରନାଥ ଜଗନ୍ନାଥଙ୍କୁ ବି ଦେଉଛନ୍ତି ଚ୍ୟାଲେଞ୍ଜ । ମନ୍ଦିର ଉପରେ ଏବେ ଚୋରଙ୍କ ଲୋଲୁପ ଦୃଷ୍ଟି । ସବୁ ସୀମା ପାର୍ କରୁଛନ୍ତି ଏ ଚୋରମାନେ । ଶେଷରେ ଠାକୁରଙ୍କୁ ବି ଲୁଟିବାକୁ ଦେଉନାହାନ୍ତି ପଛ ଘୁଞ୍ଚା ।

ପୁଣି ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ । ହୁଣ୍ଡି ଭାଙ୍ଗି ଚୋରି ହୋଇଥିବାବେଳେ ଶ୍ରୀ ଜୀଉଙ୍କ ତିନୋଟି ଚିତା ବା ମଥା ମଣି ଦୁର୍ବୁତ୍ତମାନେ ଚୋରି କରି ନେଇଥିବା ଜଣାପଡ଼ିଛି । ଆଜି ସକାଳ ସମୟରେ ପୂଜକ ନୀତିକାନ୍ତି କରିବାକୁ ଆସିବା ସମୟରେ ଚୋରି ହୋଇଥିବା ଜାଣିପାରିବା ସହ ଏନେଇ ମନ୍ଦିର ପରିଚାଳନା କମିଟିକୁ ଅବଗତ କରାଇଥିଲେ ।

ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ପହଞ୍ଚି ଅନୁଧ୍ୟାନ କରିବା ସହ ଘଟଣା ବିଷୟରେ ପୋଲିସକୁ ଅବଗତ କରାଇଥିଲେ । ପୋଲିସ୍ ଘଟଣା ବିଷୟରେ ଖବର ପାଇ ତୁରନ୍ତ ମନ୍ଦିରରେ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପ୍ରାରମ୍ଭିକ ଅନୁସନ୍ଧାନରୁ ହୁଣ୍ଡି ଭାଙ୍ଗି ଚୋରି ହୋଇଥିବା ସହ ଶ୍ରୀ ଜୀଉଙ୍କ ତିନୋଟି ମଥା ମଣି ଚୋରି ହୋଇଥିବା ଜଣାପଡିଛି । ଏହାସହ ଅନ୍ୟ କଣ ଚୋରି ହୋଇଛି ସେନେଇ ତଦନ୍ତ ଜାରି ରହିଛି । ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପୋଲିସ୍ ସାଇଣ୍ଟିଫିକ୍ ଟିମ୍ ଡକାଇ ଅଧିକ ତଦନ୍ତ ଜାରି ରଖିଛି । ମନ୍ଦିରରେ ସିସିଟିଭି ଲାଗିଥିଲେ ମଧ୍ୟ ତାହା କାର୍ଯ୍ୟ କରୁନଥିବା ମନ୍ଦିର ପରିଚାଳନା କମିଟି ସଂପାଦକ କହିଥିବାବେଳେ ମନ୍ଦିରରୁ ଚୋରିକୁ ନେଇ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ମନରେ ଆଘାତ ଲାଗିଥିବାବେଳେ ଏହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ସଭିଏଁ ।

ଥମିବାର ନା ନେଉନାହିଁ ମନ୍ଦିରରୁ ଚୋରି ଘଟଣା । ବିଭିନ୍ନ ଅଞ୍ଚଳରେ ମନ୍ଦିର ମାନଙ୍କରୁ ହେଉଛି ଲୁଟ୍ । ପୋଲିସ୍ ବି ସାଜିଛି ନୀରବଦ୍ରଷ୍ଟା । ପୋଲିସକୁ ଖୋଲା ଖୋଲି ଭାବେ ଚାଲେଞ୍ଜ କରି ପୁଣି ଏଭଳି କାଣ୍ଡ ଘଟାଇଛନ୍ତି ଦୁର୍ବୁତ୍ତ । ଏମାନଙ୍କୁ ତୁରନ୍ତ ଧରିବା ସହ ଏମାନଙ୍କ ବିରୋଧ ଉଚିତ୍ ଦଣ୍ଡବିଧାନ କରିବାକୁ ସାଧାରଣରେ ଦାବି ଯୋର ଧରିଛି ।