ବନ୍ଧୁକ ଦେଖାଇ ଦମ୍ପତିଙ୍କ ଠାରୁ ସୁନା ଅଳଙ୍କାର ଓ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ନିଆଳି(କେନ୍ଯୁଜ୍): ଦମ୍ପତ୍ତିଙ୍କୁ ବନ୍ଧୁକ ଦେଖାଇ ସୁନା ଅଳଙ୍କାର ଲୁଟି ନେଲେ ଲୁଟେରା । ଏଭଳି ଏକ ଘଟଣା ବାଲିଅନ୍ତା ଥାନା ଅନ୍ତର୍ଗତ ଭିଙ୍ଗାରପୁର କେନାଲ୍‌ ବନ୍ଧ ରାସ୍ତାରେ ଘଟିଯାଇଛି। ସୂଚନାଯୋଗ୍ୟ ଓଲଟପୁର ଥାନା ଅନ୍ତର୍ଗତ ଦାମୋଦରପୁରର ଦମ୍ପତି ଗୁରୁବାର ଅପରାହ୍ନରେ ଭୁବନେଶ୍ଵରରୁ ବାଇକ୍ ଯୋଗେ ହଂସପାଳ-କାକରୁଦ୍ରପୁର କେନାଲ ରାସ୍ତାରେ ଫେରୁଥିଲେ । ଏହି ସମୟରେ ଦୁଇ ଜଣ ଲୁଟେରା ଏକ ବାଇକରେ ଆସି ଦମ୍ପତିଙ୍କୁ ଭିଙ୍ଗାରପୁର କେନାଲ ବନ୍ଧ ରାସ୍ତାରେ ଅଟକାଇଥିଲେ । ମୁଣ୍ଡରେ ବନ୍ଧୁକ ଲଗାଇ ଧମକ ଦେବା ସହ ମହିଳାଙ୍କ ବେକରୁ ସୁନା ଚେନ୍, କାନଫୁଲ ସମେତ ପାଖରେ ଥିବା ୮ ହଜାର ଟଙ୍କା ଲୁଟି ନେଇ ଫେରାର୍ ହୋଇଯାଇଥିଲେ ।

ଖବର ପାଇ ବାଲିଅନ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଥାଉକି କିଛିଦିନ ତଳେ ଏହି ସମାନ ଢ଼ଙ୍ଗରେ ଉକ୍ତ ସ୍ଥାନରୁ ଜଣେ ବୃଦ୍ଧଙ୍କ ବେକରୁ ମଧ୍ୟ ସୁନା ଚେନ୍ ଲୁଟ୍ ହୋଇଥିଲା କିନ୍ତୁ ପୋଲିସ ଏପର୍ଯ୍ୟନ୍ତ ଲୁଟେରା ମାନଙ୍କୁ ଧରିବାରେ ସକ୍ଷମ ହୋଇନାହିଁ । ଫଳରେ ଦିନକୁ ଦିନ ବାଲିଅନ୍ତା ଥାନା ଅଞ୍ଚଳରେ ଲୁଟ୍, ରାହାଜାନୀ,ଚୋରି ଓ ଡକାୟତି ଭଳି ଅପରାଧିକ କାର୍ଯ୍ଯକଳାପ ବୃଦ୍ଧି ପାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.