ଦିନ ଦ୍ବିପ୍ରହରରେ ଦୋକାନ ଭିତରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲା ଲୁଟେରା

ଖୋର୍ଦ୍ଧା: ଦୋକାନ ଭିତରୁ ଝାମ୍ପି ନେଲେ ସୁନା ଚେନ୍। ଦିନ ଦ୍ବିପ୍ରହରରେ ଆଖି ପିଛୁଳାକେ ଚେନ୍ ନେଇ ଚମ୍ପଟ ମାରିଲା ଲୁଟେରା । ଘଟଣା ଘଟିଛି ଜଟଣୀ ଥାନା ଅନ୍ତର୍ଗତ ଜନଗହଳି ସ୍ଥାନ ସିତାରାମ ଛକରେ। ଯାହାର ସିସିଟିଭି ଫୁଟେଜ୍ ଭାଇରାଲ୍ ହେବାରେ ଲାଗିଛି । ପ୍ରଥମେ ଲୁଟେରା ଜଣଙ୍କ ଷଡଯନ୍ତ୍ର କରି ଦୋକାନ ଭିତରେ ଗ୍ରାହକ ଭାବରେ ଏଂଟ୍ରି କରୁଛି । ଏହାପରେ ପ୍ରଥମେ ଦୋକାନରେ କାର୍ଯ୍ୟରତ ଜଣେ ମହିଳାଙ୍କ ସହିତ କିଛି ସମୟ ଧରି କଥା ହେଉଛି । ଏହାପରେ ସୁଯୋଗ ପାଇ ମହିଳାଙ୍କ ବେକରେ ଥିବା ସୁନା ଚେନ୍ ଝାମ୍ପି ନେଇ ସେଠାରୁ ଫେରାର୍ ହୋଇଯାଉଛି।

ତେବେ ମହିଳା ଜଣଙ୍କ ମଧ୍ଯ କିଛି ସମୟ ଲୁଟେରାଠାରୁ ବର୍ତ୍ତିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଶେଷରେ ଲୁଟେରା ଜଣଙ୍କ ଖସିପଳାଇବାରେ ସଫଳ ହେଉଛି । ତେବେ ସମ୍ପୂର୍ଣ୍ଣ ଘଟଣା ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏନେଇ ଜଟଣୀ ଥାନାରେ ସପୃକ୍ତ ମହିଳା ଜଣଙ୍କ ଏତଲା ଦେଇଥିବାବେଳେ ପୋଲିସ୍ ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି ।