ବୁର୍ଲା ଭୀମସାରରୁ ଶିଶୁପୁତ୍ର ଚୋରି ଅଭିଯୋଗ, ପୋଲିସ ତଦନ୍ତ ଆରମ୍ଭ

ସମ୍ବଲପୁର : ବୁର୍ଲା ଭୀମସାରରୁ ଶିଶୁପୁତ୍ର ଚୋରି ଅଭିଯୋଗ । ଭୀମସାରର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରୁ ନବଜାତ ଶିଶୁପୁତ୍ରକୁ ଜଣେ ମହିଳା ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ଗତ ଦୁଇ ଦିନ ତଳେ ଛତିଶଗଡ଼ ସରେଇପାଲି ଅଞ୍ଚଳରୁ ଜଣେ ମହିଳା ବୁର୍ଲା ଭୀମସାରର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିଲେ l

ତାଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା l ମହିଳାଙ୍କ ସହ ଶିଶୁ ପୁତ୍ରର ମାଉସୀ ମଧ୍ୟ ଆସିଥିଲେ l ତେବେ ସମ୍ବଲପୁର ଅଞ୍ଚଳର ଜଣେ ମହିଳା ଶିଶୁପୁତ୍ରର ମାଉସୀଙ୍କ ସହ କଥା ହୋଇ ସମ୍ପର୍କ ବଢ଼ାଇ ଥିଲେ l ଆଜି ଅପରାହ୍ନ ୪ଟାରେ ଛୁଆଟି କାନ୍ଦିବା ବେଳେ ସମ୍ବଲପୁର ଅଞ୍ଚଳର ସଂପୃକ୍ତ ମହିଳା ଜଣକ ଶିଶୁପୁତ୍ରକୁ କୋଳକୁ ନେବା ପରେ ଧୀରେ ଧୀରେ ବାହାରକୁ ଚାଲି ଆସିଥିଲା l

ଦୀର୍ଘ ସମୟ ଧରି ମହିଳା ଜଣକ ନଫେରିବାରୁ ପରିବାର ଲୋକ ତୁରନ୍ତ ବୁର୍ଲା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ଉକ୍ତ ମହିଳା ଜଣକ ଶିଶୁପୁତ୍ରକୁ ନେଇ ପଳାଉଥିବାର ଦେଖିବାକୁ ମିଳିଥିଲା  l ପୋଲିସ ୪ଟି ଟିମ ଗଠନ କରି ସହରର ବିଭିନ୍ନ ଅଞ୍ଚଳରେ ଖାନତଲାସୀ କରୁଛି ।

ପ୍ରକାଶଯୋଗ୍ୟ, ପୂର୍ବରୁ ମଧ୍ୟ ବାଲେଶ୍ବର ଜିଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରୁ ନବଜାତ ଶିଶୁ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା । ‌ପରେ ଜଳେଶ୍ଵର ଅଞ୍ଚଳରୁ ପୁଲିସ ଉକ୍ତ ନବଜାତ ପୁତ୍ରକୁ ଉଦ୍ଧାର କରିଥିଲା।

You might also like