ଘର ଉପରକୁ ବୋମା ମାଡ଼ କରି ଦୁର୍ବୃତ୍ତ ଫେରାର, ଘଟଣାସ୍ଥଳରେ ପୋଲିସ 

ଢେଙ୍କାନାଳ : ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଖମାର ସାହିରେ ବୋମାମାଡ ହୋଇଛି । ଦୁଇଜଣ ଯୁବକ ବୋମାମାଡ କରି ଫେରାର ହୋଇ ଯାଇଥିବା ସିସି ଟିଭି ଫୁଟେଜରେ ଦେଖିବାକୁ ମିଳିଛି । ଖମାର ସାହିର ସୁଶାନ୍ତ କୁମାର ସାହୁଙ୍କ ଘରକୁ ବୋମାମାଡ କରି ଦୁର୍ବୃତ୍ତ ଫେରାର ହୋଇଛି । ବୋମାମାଡରେ ସୁଶାନ୍ତଙ୍କ ଘର ଗେଟ ଭାଙ୍ଗିଯାଇଥିବା ସହ ପରିବାର ଲୋକ ଭୟଭୀତ ହୋଇ ପଡିଛନ୍ତି ।

ହାତରେ ଦୁଇଟି ବୋମା ଧରି ଆସିଥିଲେ ଦୁର୍ବୃତ୍ତ।  ବୋମାମାଡର କିଛି ସମୟ ପୂର୍ବରୁ ସୁଶାନ୍ତଙ୍କ ଫୋନକୁ ଧମକ ଦେଇ କେହି ଜଣେ ଫୋନ କରିଥିବା ଅଭିଯୋଗ ହୋଇଛି  ।  ସୁଶାନ୍ତ ସାହୁ ଖମାର ସାହି ଲକ୍ଷ୍ମୀ ପୂଜା କମିଟିର ସଂପାଦକ ହୋଇ ଥିବା ବେଳେ ସେ ମଧ୍ୟ ବିଲଡ଼ର ଭାବେ ବ୍ୟବସାୟ କରିବା ସହ ଜାଗା ବାଡ଼ି ବ୍ୟବସାୟ କରନ୍ତି । ଯାଗାବାଡ଼ି ବ୍ୟବସାୟକୁ ନେଇ ଦାଦା ବଟୀ ପାଇଁ ଏଭଳି କାଣ୍ଡ କେହି ଘଟାଇ ଥାଇପାରେ ବୋଲି ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଟାଉନଥାନା ପୋଲିସ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି ।