ଭୁବନେଶ୍ୱର : ଦୀପାବଳିରେ ଦୁର୍ଘଟଣା । ରାଜଧାନୀରେ ବାଣ ଫୁଟାଇ ଆହତ ହୋଇଛନ୍ତି ସ୍ବାମୀ ସ୍ତ୍ରୀ । ଦୁଇ ଜଣଙ୍କ ହାତ ଜଳି ଯାଇଛି । ସେମାନେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏମିତି ୧୫ରୁ ଅଧିକ ଯୁବକ, ଯୁବତୀ, ଛୋଟ ଛୁଆ ମାନେ ବାଣ ଫୁଟାଇ ଖଣ୍ଡିଆ ଖାବରା ହୋଇ କ୍ୟାପିଟାଲ ହସ୍ପିଟାଲକୁ ଆସିଛନ୍ତି । ଏପର୍ଯ୍ୟନ୍ତ କ୍ୟାପିଟାଲ ହସ୍ପିଟାଲକୁ ୧୫ରୁ ଅଧିକ ପୋଡ଼ା ମାମଲା ଆସିଛି । ଧିରେ ଧିରେ ଏହି ସଂଖ୍ୟା ବଢୁଥିବାର ସୂଚନା ମିଳିଛି ।
ସେହିପରି ପୁରୀ ସଦର ବାଟ ଗାଁରେ ବାଣ ବିସ୍ପୋରଣ ହୋଇଛି । ଏଥିରେ ଦୁଇ ନାବାଳକ ସହ ୩ ଜଣକ ଆହତ ହୋଇଥିଲେ । ଆହତଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଗୁରୁତର ଅବସ୍ଥାରେ ବୁଲା ରାଉତଙ୍କୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ବୁଲା ନିଜ ଘରେ ବାଣ ବିକୁଥିବା ବେଳେ ବିସ୍ଫୋରଣ ହୋଇଥିଲା । ସଞ୍ଜୟ ବାଣ କିଣିବା ପାଇଁ ଯାଇଥିବା ବେଳେ ତାଙ୍କ ହାତରୁ ଏକ ବାଣ ଥୁଆ ହୋଇଥିବା ଅନ୍ୟ ବାଣ ଉପରେ ପଡିଯିବା ପରେ ବିସ୍ଫୋରଣ ହୋଇଥିଲା । ବୁଲା ଓ ସଞ୍ଜୟଙ୍କ ସହ ସେଠାରେ ଥିବା ଲିପା ରାଉତ ପୋଡିଯାଇଥିଲେ । ସେମାନଙ୍କୁ ପ୍ରଥମେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି ।
ସେହିଭଳି ଦୀପାବଳିରେ ବାଣଫୁଟାଇ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ୭ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ୩ ଜଣ ଶିଶୁ ଥିବାବେଳେ ୪ ଜଣ ଯୁବକ ଅଛନ୍ତି । ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ନୂଆନନ୍ଦ, ସାବରଙ୍ଗ, ଭଦ୍ରକ ଟାଉନ ଥାନା ଅଧିନସ୍ଥ ଚରମ୍ପା ଖଣ୍ଡିଆ ବଜାର, ଗ୍ରାମାଞ୍ଚଳ ଥାନା ଅଧିନସ୍ଥ କୁଢ଼ବରୁଆ, ଧୂଷୁରୀ ଥାନା ଓଲଟପୁର ଆଦି ଅଞ୍ଚଳରେ ଏହିସବୁ ଆହତଙ୍କ ଖବର ଆସିଛି । ପ୍ରାୟ ସମସ୍ତଙ୍କର ହାତରେ ଆଘାତ ଲାଗିଥିବା ଜଣାଯାଇଛି । ଡାକ୍ତରଖାନାରେ ଉପସ୍ଥିତ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଆହତଙ୍କୁ ଚିକିତ୍ସାରେ ଲାଗିଛନ୍ତି ।
ଅନ୍ୟପଟେ ବାଲେଶ୍ଵରରେ ଦୀପାବଳୀ ପାଳିବା ସମୟରେ ବାଣ ବିସ୍ଫୋରଣ ହୋଇଛି। ଏଥିରେ କିଛି ଯୁବକ ସାମାନ୍ୟ ଆହତ ଓ ଆଉ କିଛି ଗୁରୁତର ହୋଇଛନ୍ତି । ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଜଣେ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ବାଣ ବିସ୍ପୋରଣରେ ଗୁରୁତର ହୋଇଥିବା ଯୁବକ ହେଲେ ରେମୁଣା ଅଞ୍ଚଳର ତନବିର କାଦ୍ରୀ । ଯୁବକଙ୍କ ଆଖି, ନାକ ଓ ପାଟିରେ ଗଭୀର କ୍ଷତ ହୋଇଛି।
ରେମୁଣା କ୍ଷୀରଚୋରା ମନ୍ଦିର ନିକଟରେ ଥିବା ଏକ ଫର୍ଣ୍ଣିଚର ଦୋକାନରେ ଅଗ୍ନିକାଣ୍ଡ। ଆଜି ଦୀପାବଳି ଯୋଗୁଁ ଫର୍ଣ୍ଣିଚର ଦୋକାନରେ ଦୀପ ଜଳୁଥିବା ବେଳେ ହଠାତ ଫର୍ଣ୍ଣିଚରରେ ନିଆଁ ଲଗାଯାଇ ଥିଲା । ଫଳରେ ଦୋକାନରେ ଥିବା କିଛି ଫର୍ଣ୍ଣିଚର ସହ କାଠ ଓ ଯନ୍ତ୍ରାଂଶ ରେ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତକଲେ ଅଗ୍ନିଶମ ଟିମ୍ । ତେବେ ଅଗ୍ନିକାଣ୍ଡ ରେ ପ୍ରାୟ ଦୁଇ ଲକ୍ଷ ଟଙ୍କାର କାଠ ଓ ଯନ୍ତ୍ରାଂଶ ସହ କିଛି ଫର୍ଣ୍ଣିଚର ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି ।
ସେହିପରି ବାଙ୍ଗିରୀପୋଷୀ ଅଞ୍ଚଳରେ ବାଣ ଫୁଟାଇବା ବେଳେ ୨ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ମେଡିକାଲରେ ଭର୍ତ୍ତିମ କରାଯାଇଛି । ଗୁରୁତର ଆହତ ଜଣକ ବାଙ୍ଗିରିପୋଷି ତାଳଟିକିରି ଗ୍ରାମର ପ୍ରଦୀପ ନାଏକ। ପ୍ରଦୀପଙ୍କ ଆଖି ଓ ହାତରେ ଆଘାତ ଲାଗିଛି । ସନ୍ଧ୍ୟାରେ ବାଣ ଫୁଟାଇବା ବେଳେ ଅସାବଧାନତା ଯୋଗୁଁ ବାଣ ତାଙ୍କ ହାତରେ ଫୁଟିବା ସହ ଆଖିରେ ପଶିଯାଇଥିଲା । ତାଙ୍କୁ ପ୍ରଥମେ ବାଙ୍ଗିରୀପୋଷୀ ଓ ପରେ ବାରିପଦା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା।
ଦୀପାବଳି ସମୟରେ ସମ୍ବଲପୁର ସହରର ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି। ପୋଲିସ ଲାଇନ ଅଞ୍ଚଳର ଜଣେ ନାବାଳକଙ୍କ ହାତ ଉପରକୁ ଜଣେ ବାଣ ଫିଙ୍ଗି ଦେବାରୁ ତାଙ୍କ ହାତ ଜଳିଯାଇଛି । ସେହିପରି ଅଇଁଠାପାଲିରେ ଜଣେ ବ୍ୟକ୍ତି ବାଣ ଫୁଟାଉଥିବା ବେଳେ ହାତରେ ବାଣ ଫାଟି ଯାଇଥିଲା । ରକ୍ତାକ୍ତ ଅବସ୍ଥାରେ ଉଭୟଙ୍କୁ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇ ଚିକିତ୍ସା କରାଯାଇଛି ।