ଡାକ୍ତରଙ୍କୁ ଛାଡିଦେବା ପାଇଁ ମାଓବାଦୀଙ୍କୁ ଗୁହାରି କଲେ ପରିବାର ଲୋକେ

ମାଲକାନଗିରି(କେନ୍ୟୁଜ): କାଲିମେଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଜର ଡ୍ୟୁଟି ସାରି ସରକାରୀ ବାସଭବନକୁ ଯାଇଥିଲେ ଡାକ୍ତର ଅମ୍ଳାନ ଭୋଇ । ହେଲେ ସେବେଠୁ ଆଉ ତାଙ୍କର କୌଣସି ଖୋଜ ଖବର ମିଳୁନାହିଁ । ଯେଉଁଥିପାଇଁ ଥାନାରେ ଅଭିଯୋଗ ହୋଇଛି । ଡାକ୍ତର ଅମ୍ଳାନ ଭୋଇଙ୍କୁ ତାଙ୍କ ଘରୁ ଅପହରଣ କରାଯାଇଥିବା ନେଇ ଅଭିଯୋଗରେ ଦର୍ଶାଯାଇଛି । ଏହି ସୂଚନା ଆଧାରରେ କାଲିମେଳା ଥାନା ପୋଲିସ ନିଖୋଜ ଡାକ୍ତର ରହୁଥିବା କ୍ୱାଟରକୁ ଯାଇ ତଦନ୍ତ ଆରମ୍ଭ କରିଥିଲା । ଘଟଣାସ୍ଥଳରେ ଏକ ପୁରୁଣା ମୋବାଇଲ ରହିଥିବା ବେଳେ ସିପିଆଇ ମାଓବାଦୀଙ୍କ ନାମରେ ଏକ ପୋଷ୍ଟର ଡାକ୍ତରଙ୍କ କ୍ୱାଟର ମଧ୍ୟରୁ ଜବତ କରିଥିଲା ।

ପୋଷ୍ଟରରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ଏବଂ ରୋଗୀସେବା ବ୍ୟାହତ ହୋଇଥିବା ଉଲ୍ଲେଖ ରହିଥିବା ସୂଚନା ଦେଇଛନ୍ତି । ତେବେ ପୋଲିସ ପାରିପାର୍ଶ୍ୱିକ ପରସ୍ଥିତିକୁ ଅନୁଧ୍ୟାନ କରି ତଦନ୍ତ ଆରମ୍ଭ କରିଥିବା ବେଳେ ତାଙ୍କ ସରକାରୀ ବାସଭବନ ଯାଞ୍ଚ କରିବା ସହ ଆଖପାଖ ଲୋକଙ୍କୁ ପଚରାଉଚରା କରୁଛନ୍ତି । ଏହା ସହିତ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜକୁ ପୁଲିସ୍ ଯାଞ୍ଚ କରାଯାଉଛି । ନିଖୋଜ ଡାକ୍ତରଙ୍କୁ ଅପହରଣ କରାଯାଇଛି ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ସେନେଇ ଜିଲ୍ଲା ବାସୀଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଦି ବାସ୍ତବରେ ମାଓବାଦୀଙ୍କର ଏହି ଘଟଣା ସହ କିଛି ସମ୍ପୃକ୍ତି ରହିଥାଏ ,ତେବେ ଏହା ଏକ ସାଙ୍ଘାତିକ ଘଟଣା ।

ଏପଟେ ଡାକ୍ତରଙ୍କୁ ଛାଡିଦେବା ପାଇଁ ମାଓବାଦୀଙ୍କୁ ଗୁହାରି କଲେ ପରିବାର ଲୋକେ । ଡାକ୍ତର ଅମ୍ଲାନ ଭୋଇ ନିଖୋଜ ଘଟଣା ନେଇ ପରିବାର ଲୋକ ମାଲକାନଗିରି ଜିଲ୍ଲାପାଳ ଏବଂ ଏସପିଙ୍କ ଦ୍ୱାରାସ୍ତ ହୋଇଥିବାବେଳେ ଏପଟେ ମାଓବାଦୀଙ୍କୁ ଗୁହାରି କରିଛନ୍ତି । ଗତକାଲି ସକାଳେ ଡାକ୍ତର ଅମ୍ଲାନଙ୍କ ବାପା ଅବନି ଭୋଇ, ମାଆ ବିନୋଦିନୀ ସାମଲ,ମାମୁଁ ମନୋଜ କୁମାର ସାମଲ,ଭଉଣୀ ସ୍ୱାଗତିକା ଭୋଇ ମାଲକାନଗିରିରେ ପହଞ୍ଚି ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ତୁରନ୍ତ କିପରି ପୁଅ ଅମ୍ଲାନକୁ ଖୋଜି ବାହାର କରିବେ ସେନେଇ ନେହୁରା ହୋଇଛନ୍ତି । ଜିଲ୍ଲାପାଳ ଶ୍ରୀ ପାବାର ମଧ୍ୟ ଟିମ ଗଠନ କରି ସନ୍ଧାନ କରୁଥିବା କହିଛନ୍ତି । ପରିବାର ଲୋକେ ଗଣମାଧ୍ୟମ ଆଗରେ ନକ୍ସଲଙ୍କୁ ନିବେଦନ କରିଛନ୍ତି ଯେ ତାଙ୍କ ପୁଅ ନିର୍ଦ୍ଦୋଷ ତାଙ୍କୁ ଛାଡି  ଦିଅନ୍ତୁ ।

ଗୋଟିଏ ପଟେ ଏସପି,ଏସଡିପିଓ ଟିମ ଗଠନ କରି ଡାକ୍ତରଙ୍କୁ ଖୋଜିବା ଆରମ୍ଭ କରିଥିବା ବେଳେ, ଏପଟେ ଜିଲ୍ଲାପାଳ ସଚିନ ପାଵାର ମଧ୍ୟ ଦୁଇ ତିନୋଟି ଟିମ୍ କରି ଡାକ୍ତରଙ୍କ ସନ୍ଧାନରେ ଲାଗି ପଡିଛନ୍ତି । ପୋଲିସ ଡାକ୍ତରଙ୍କୁ ଖୋଜି ଆଣିବା ପାଇଁ ଚାରିଆଡେ ନିଜର ନେଟୱର୍କ ଖେଳାଇଦେଇଛି ।

 

You might also like