ଧନୁଯାତ୍ରାରୁ ନିଖୋଜ ଥିଲେ ଯୁବତୀ, ୪୮ ଘଣ୍ଟା ପରେ ଜଙ୍ଗଲରୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର

ବରଗଡ଼: ଗତ ୧୨ ତାରିଖ ସନ୍ଧ୍ୟାରେ ଧନୁଯାତ୍ରା ଦେଖିବା ପାଇଁ ଘରୁ ବାହାରି ଆସିଥିଲେ ଯୁବତୀ ଜଣକ । କିନ୍ତୁ ସେ ଜାଣିନଥିଲେ ତାଙ୍କ ସହ ଏମିତି କିଛି ଘଟିଯିବ ବୋଲି । ଧନୁଯାତ୍ରା ବୁଲି ଦେଖୁ ଦେଖୁ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ ହେଲେ ଝିଅକୁ ପାଇନଥିଲେ । ପରେ ଚିନ୍ତାରେ ପଡ଼ି ଯାଇଥିଲେ । ଠିକ୍ ସେହି ସମୟରେ ରାତି ଅଧରେ ନିଖୋଜ ଯୁବତୀଙ୍କ ମୋବାଇଲରୁ ଘର ଲୋକଙ୍କ ପାଖକୁ କଲ୍ ଆସିଥିଲା ତମ ଝିଅ ଏବେ ଜଙ୍ଗଲରେ ପଡ଼ିଛି ତାକୁ ଆସି ନେଇଯାଅ । ଦୀର୍ଘ ୪୮ ଘଣ୍ଟା ପରେ ଆଜି କ୍ଷତାକ୍ତ ଅବସ୍ଥାରେ ଜଙ୍ଗଲରୁ ତାଙ୍କୁ ଉଦ୍ଧାର କରାଯାଇଛି ।
ତେବେ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଶେଷ ହୋଇଛି ସତ କିନ୍ତୁ ଧନୁଯାତ୍ରାରେ ନିଖୋଜ ହୋଇଥିବା ଜଣେ ଯୁବତୀଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଯଦିଓ ଆମେ ଏଠାରେ ଯୁବତୀଙ୍କ ନାମ ଜଣାଇପାରୁନୁ କିନ୍ତୁ ବରଗଡ଼ରେ ଘଟିଥିବା ଏଭଳି ଲୋମହର୍ଷଣକାରୀ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ନିଖୋଜ ଯୁବତୀଙ୍କୁ ଦୀର୍ଘ ୪୮ଘଣ୍ଟା ପରେ ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଯୁବତୀ ଜଣକ ହେଉଛନ୍ତି ବରଡୋଲ ଗାଁର। ଏମିତି ଅବସ୍ଥାରେ ଝିଅକୁ ଦେଖି ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଆଉ ସେ ସମୟର ଘଟଣା କେତେ ଯେ ଭୟଙ୍କର ହୋଇଥିବ ପରିବାର ଲୋକେ ଭାବି ବାହୁନି ବାହୁନି କାନ୍ଦୁଛନ୍ତି । ନ୍ୟାୟ ପାଇଁ ହାତ ଯୋଡ଼ି ନେହୁରା ହେଉଛନ୍ତି।
ଯୁବତୀଙ୍କ ମୁଣ୍ଡ ସହ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ରହିଛି । ମୁଣ୍ଡରେ ଆଘାତ ଲାଗିଥିବାରୁ ଯୁବତୀଙ୍କ ମାନସିକ ସ୍ଥିତି ଠିକ୍ ରହୁ ନଥିବା କହିଛନ୍ତି ସମ୍ପର୍କୀୟ । ଅପହରଣ ପରେ ତାଙ୍କୁ ଶାରୀରିକ ନିର୍ଯାତନା ଦିଆଯାଇଛି । ଯୁବତୀଙ୍କ ସ୍ବାସ୍ଥ୍ୟାବସ୍ଥା ଯେମିତି ଅଛି ଏହା ଜଣଙ୍କର କାମ ନୁହେଁ ବୋଲି ସନ୍ଦେହ କରାଯାଉଛି । ଆଉ ସେହି ଦୃଷ୍ଟିରୁ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇ ପାରିଥାଏ ବୋଲି ମଧ୍ୟ ସନ୍ଦେହ କରାଯାଉଛି । ନ୍ୟାୟ ପ୍ରଦାନ ଦାବିରେ ପ୍ରଶାସନ ନିକଟରେ ପରିବାର ଲୋକେ ଦାବି କରିଛନ୍ତି । ତେବେ ଯୁବତୀ ଜଣକ ତାଙ୍କ ପୁରୁଷ ବନ୍ଧୁ ସହ ଧନୁଯାତ୍ରାରେ ବୁଲୁଥିବା ନେଇ ଲୋକେ ଦେଖିଛନ୍ତି । ଆଉ ଏହି କାଣ୍ଡ ତାଙ୍କ ପୁରୁଷ ବନ୍ଧୁ ଘଟାଇଥିବା ଅଭିଯୋଗ କରିଛନ୍ତି ପୀଡ଼ିତା ଯୁବତୀଙ୍କ ପରିବାର ଲୋକେ । ଏନେଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବା ବେଳେ ତାଙ୍କ ମୋବାଇଲକୁ ଜବଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏବଂ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।