କରଞ୍ଜିଆ(କେନ୍ୟୁଜ୍): ନିଖୋଜ ର ୧୦ଦିନ ପରେ ମିଳିଲା ମୃତ୍ୟୁଦେହ । ଏପରି ଘଟଣା ସାମ୍ନାକୁ ଆସିଛି ଯଶୀପୁର ଥାନା ଅନ୍ତର୍ଗତ ଗେନ୍ତେଇସାହିରୁ । ସେହି ଗ୍ରାମର ଧନେଶ୍ୱର ଗୁଆ ନାମକ ଜୈନେକ ଯୁବକ ଗତ ୪ ତାରିଖ ଦିନ ଘର ଆଜବେଷ୍ଟ କିଣିବା ପାଇଁ ସାଙ୍ଗ ପିତାମ୍ବର ବେହେରାଙ୍କ ସହିତ ଘରୁ ୩୦ହଜାର ଟଙ୍କା ଧରି ଭଞ୍ଜକିଆ ବଜାରକୁ ଆସିଥିଲେ । ହେଲେ ଆଉ ଘରକୁ ଫେରି ନଥିଲେ ଧନେଶ୍ୱର । ଫଳରେ ଧନେଶ୍ୱରଙ୍କ ସ୍ତ୍ରୀ ବିଭିନ୍ନ ଜାଗାରେ ଖୋଜାଖୋଜି କରିବା ପରେ ନିରାଶ ହୋଇ ଯଶୀପୁର ଥାନାର ଦ୍ବାରାସ୍ଥ ହୋଇଥିଲେ । ସେଠାରେ ଏକ ନିଖୋଜ ରିପୋର୍ଟ ମଧ୍ୟ ଦେଇଥିଲେ ।
ହେଲେ ଯଶୀପୁର ପୋଲିସ ରିପୋର୍ଟ ପାଇବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଫଳରେ ଗତ ୧୧ ତାରିଖ ମୟୁରଭଞ୍ଜ ଆରକ୍ଷୀ ଅଧ୍ୟକ୍ଷକଙ୍କୁ ମଧ୍ୟ ଭେଟି ଏ ସମ୍ପର୍କରେ ଅବଗତ କରାଇଥିଲେ । ହେଲେ ଆରକ୍ଷୀ ଅଧ୍ୟକ୍ଷକ ମଧ୍ୟ ଘଟଣାକୁ ଏତେ ଗୁରୁତ୍ତ୍ୱ ଦେଇନଥିଲେ। ଯାହାଫଳରେ ସେଠାରୁ ମଧ୍ୟ ନିରାଶ ହୋଇ ନିଜ ୪ ଛୁଆଙ୍କ ସହିତ ଆଶା ଆଶଙ୍କାରେ ଦିନ କାଟୁଥିଲେ । ହେଲେ ଗତକାଲି ସନ୍ଧ୍ୟାରେ ତାଙ୍କର ମୃତ୍ୟୁଦେହ ମିଳିଥିଲା ।
ଗତକାଲି କିଛି ମାଛ ଧରାଳି ନିୟୁତିଗ୍ରାମ ବନ୍ଧରେ ମାଛ ଧରିବା ସମୟରେ ପାଣି ଭିତରେ ଏକ ପଥର ଜାକି ମୃତ୍ୟୁ ଦେହକୁ କେହି ଦୁର୍ବୁତ୍ତ ରଖିଥିବା ଜାଣି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରୁ ମୃତ୍ୟୁଦେହ ଉଦ୍ଧାର କରିବା ସହିତ କିଏ କାହିଁକି ଏପରି ହତ୍ୟା ପରେ ପ୍ରମାଣ ନଷ୍ଟ କରିବା ପାଇଁ ପଥର ଜାକିଲା ସେନେଇ ତଦନ୍ତ ଆରମ୍ଭ କରିଛି। ଆଜି ତଦନ୍ତ ସନ୍ଧାନୀ କୁକୁର ସହିତ ସାଇଣ୍ଟିଫିକ ଟିମର ସାହାଯ୍ୟ ନେଇ ଘଟଣାସ୍ଥଳରେ ତନାଘନା କରିବପୋଲିସ । ତେବେ ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର କୌଣସି ସୁରାକ ପୋଲିସ ପାଇ ନଥିବା ବେଳେ, ଟଙ୍କା ପାଇଁ କେହି ଦୁର୍ବୁତ୍ତ ହତ୍ୟା କରିଥିବା ଅନୁମାନ କରୁଛି ପୋଲିସ ।