ବନ୍ଧୁ ସାଜିଲେ ବଇରୀ, ମିଳିମିଶି ନେଇଗଲେ ସାଙ୍ଗର ଜୀବନ

ଯାଜପୁର ରୋଡ : ତିନି ଦିନ ଧରି ନିଖୋଜ ଥିବା ଯୁବକଙ୍କର ମିଳିଲା ମୃତଦେହ । କାମ କରୁଥିବା ପ୍ଲାଣ୍ଟର ମାଟି ତଳୁ ଉଦ୍ଧାର କରାଗଲା ମୃତଶରୀର । ସାଙ୍ଗ ସାଜିଲା ସାଙ୍ଗର ହତ୍ୟାକାରୀ ! ବିଶ୍ୱାସରେ ଦେଲେ ଧୋକା । ଏଭଳି ଏକ ଅଭାବନୀୟ ଲୋମଟାଙ୍କୁରା ଘଟଣା ଘଟିଛି ଯାଜପୁରରେ । ବନ୍ଧୁ ସାଜିଲା ବଇରୀ । ନିଜ ସାଙ୍ଗକୁ ମିଶି କଲେ ହତ୍ୟା । ଭୁଲିଯାଏ ସବୁ ସମ୍ପର୍କ । ତିନି ଦିନ ଧରି ନିଖୋଜ ଯୁବକଙ୍କର ଶେଷରେ ମିଳିଲା ମୃତଶରୀର ।
ଖବର ମୁତାବକ, ଢେଙ୍କାନାଳ ଜିଲା ଗଁଦିଆ ଥାନା ବ୍ରାହ୍ମଣ ବାଟି ଗ୍ରାମର ଅକ୍ଷୟ ପ୍ରଧାନଙ୍କ ୨୨ ବର୍ଷର ପୁଅ ସିଲୁ । ଯାଜପୁର ସ୍ଥିତ ଏକ ଇସ୍ପାତ କାରଖାନାରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ତେବେ ଗତ ଚାରି ଦିନ ତଳେ ପ୍ଲାଣ୍ଟକୁ କାର୍ଯ୍ୟ କରିବାକୁ ଯାଇ ଉକ୍ତ ପ୍ଲାଣ୍ଟ ପରିସରରୁ କୁଆଡେ ନିଖୋଜ ହୋଇଯାଇଥିଲେ । କାମ ସାରି ଆଉ ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । ହେଲେ ଶେଷରେ ପୁଅ ନମିଳିବାରୁ, ପୁଅର ନିଖୋଜ ସମ୍ପର୍କରେ ପରିବାର ଲୋକେ କଳିଙ୍ଗନଗର ଥାନାରେ ଅଭିଯୋଗ କରିଥିଲେ । ତେବେ ଅଭିଯୋଗ ପରେ ମଧ୍ୟ ପୋଲିସ୍ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ଦେଖାଯାଇନଥିଲା । ଶେଷରେ ବାଧ୍ୟ ହୋଇ ଦୁଇ ଦିନ ଧରି ପରିବାର ଲୋକେ ସେହି ପ୍ଲାଣ୍ଟର ଗେଟ୍ ସମ୍ମୁଖରେ ଧାରଣା ଦେଇ ବସି ରହିଥିଲେ ।
ଯାହାପରେ ପୋଲିସ୍ ଘଟଣାକୁ ଗୁରୁତ୍ୱର ସହ ନେଇ ତନାଘନା ଆରମ୍ଭ କରିଥିଲା । ଶେଷରେ ସିଲୁଙ୍କର ମୃତଦେହକୁ ଉଦ୍ଧାର କରିଛି ଯାଜପୁର ପୋଲିସ୍ । ସିଲୁ କାମ କରୁଥିବା ଉକ୍ତ ଇସ୍ପାତ କାରଖାନା ବିଚିଙ୍ଗ ପ୍ଲାଣ୍ଟ ସାଇଟ୍ ର ମାଟି ତଳୁ ଗର୍ତ୍ତ ଖୋଲାଯାଇ ସିଲୁର ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଯାହା କୁହାଯାଇଛି କି, ସିଲୁ କାର୍ଯ୍ୟରତ ଥିବା ଠିକାସଂସ୍ଥାର କର୍ମଚାରୀ ଓ ତାର ସାଙ୍ଗ ମାନେ ମିଳିମିଶି ତାଙ୍କୁ ହତ୍ୟା କରିଥିବା ନେଇ ପୋଲିସ୍ ହାତରେ ପ୍ରମାଣ ବାଜିଛି । ଗତ ୧ ତାରିଖ ବିଳମ୍ବିତ ରାତ୍ରିରେ ସିଲୁର ପରିବାର ଲୋକଙ୍କୁ ସାଙ୍ଗରେ ନେଇ ପୋଲିସ୍ ପକ୍ଷରୁ ସିଲୁର ଶରୀରକୁ ଉଦ୍ଧାର କରାଯାଇଥିଲା । ଫରେନ୍ସିକ୍ ଟିମ୍ ତାର ଯାଞ୍ଚ ସାରିବା ପରେ ଗତକାଲି ସକାଳୁ ମୃତଦେହ ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା ।
ଏପଟେ ସିଲୁର ହତ୍ୟାରେ ସମ୍ପୃକ୍ତ ପ୍ଲାଣ୍ଟର ଅନ୍ୟ କର୍ମଚାରୀଙ୍କୁ ଅଟକ ରଖି ପୋଲିସ୍ ପଚରାଉଚରା କରୁଛି । କାହିଁକି ଓ କେଉଁ ପରିସ୍ଥିତିରେ ହତ୍ୟା କରାଗଲା ବୋଲି ତଦନ୍ତ ଚଳାଇଛି ପୋଲିସ୍ । ଅନ୍ୟପଟେ ଦାୟିତ୍ୱବାନ କର୍ପୋରେଟ ଭାବେ ପ୍ଳାଣ୍ଟର କତୃପକ୍ଷ ତାଙ୍କ ଶ୍ରମିକଙ୍କ ସୁରକ୍ଷା ଓ କଲ୍ୟାଣ ପ୍ରତି ବେଶ ସମ୍ବେଦନଶୀଳ ବୋଲି ଏକ ପ୍ରେସ୍ ବିବୃତ୍ତିରେ ପ୍ରତିକ୍ରିୟା ରଖିଛନ୍ତି । ଏଭଳି ଏକ ଘଟଣାରେ ସେମାନେ ଅତ୍ୟନ୍ତ ଦୁଃଖିତ ଥିବା କହିଛନ୍ତି । କତୃପକ୍ଷଙ୍କ ତରଫରୁ ଶୋକ ସନ୍ତପ୍ତ ପରିବାର ତଥା ଆତ୍ମୀୟ ସ୍ଵଜନଙ୍କୁ ଗଭୀର ସମବେଦନା ଜଣାଯାଇଛି । ଅପରପଟେ ଏହି ଘଟଣାରେ ସମ୍ପୃକ୍ତଥିବା ସମସ୍ତ ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ସିଲୁଙ୍କ ପରିବାର ଲୋକେ ।