କାଜୁ ଜଙ୍ଗଲରେ ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ରାଇରଙ୍ଗପୁର : ଜନୈକ ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଭାଲୁବସା ଗ୍ରାମର ଟାଣ୍ଡିସାହି କାଜୁ ଜଙ୍ଗଲରେ। ମୃତକ ଜଣକ ଭାଲୁବସା ଗ୍ରାମପଞ୍ଚାୟତ ବୁଢାମରା ଗ୍ରାମର କୃଷ୍ଣଚନ୍ଦ୍ର କାରୁଆଙ୍କ ନାବାଳିକା ଝିଅ ସନ୍ଧ୍ୟା କାରୁଆ।

ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ସମୟରେ ନାବାଳିକା ଝିଅଟି କାଜୁ ଜଙ୍ଗଲରେ ଥିବା ଏକ ଗଛରେ ଝୁଲୁଥିବାର ଦେଖି ସ୍ଥାନୀୟ ଲୋକେ ପରିବାର ଲୋକଙ୍କୁ ଖବର ଦେବା ସହିତ ପୋଲିସକୁ ମଧ୍ୟ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ରାଇରଙ୍ଗପୁର ଟାଉନ ଥାନା ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିବା ସହିତ ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମ୍ କୁ ଡକାଇ ଥିବାର ଜଣାପଡ଼ିଛି।

ସେପଟେ ନାବାଳିକା ଜଣକ ସୋମବାରରୁ ନିଖୋଜ ଥିବାବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ତେବେ ପାରିପାର୍ଶ୍ବିକ ସ୍ଥିତିରୁ ନାବାଳିକା ଝିଅଟିକୁ ହତ୍ୟା କରାଯାଇଥିବା ପୋଲିସ ଅନୁମାନ କରୁଥିବାବେଳେ ସାଇଣ୍ଟିଫିକ ଟିମ୍ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.