ସନ୍ଦେହ ଜନକ ଭାବେ ନିଖୋଜ ଥିବା ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ବସ୍ତାରେ ବନ୍ଧା ହୋଇ କୋଚିଲା ନଦୀରେ ଭାସୁଥିଲା ଶବ

ଭଦ୍ରକ(କେନ୍ୟୁଜ୍‌): ସନ୍ଦେହ ଜନକ ଭାବେ ନିଖୋଜ ଥିବା ବୃଦ୍ଧଙ୍କ ମୃତଦେହ ଉଦ୍ଧାର। କୋଚିଲା ନଦୀରୁ ଉଦ୍ଧାର ହୋଇଛି ଏହି ମୃତଦେହ। ଗତ ୨୮ତାରିଖ ଦିନ ପୀରହାଟ ଥାନା ଉପରଦୁମୁକା ଗାଁର ଧରଣୀଧର କୂଅଁର ନିଖୋଜ ହୋଇ ଯାଇଥିଲେ। ଆଜି କୋଚିଲା ନଦୀର ଅନଳ ଦିହ ଠାରେ ଏକ ବସ୍ତାରେ ବନ୍ଧା ହୋଇ ଭାସୁଥିବାବେଳେ ପୋଲିସ୍  ଶବକୁ ଉଦ୍ଧାର କରିଛି।

ଅପହରଣ ପରେ ହତ୍ୟା ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର ଲୋକ। ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧିନ ଉପରଦମୁକା ଗାଁର ଧରଣୀଧର କୁଅଁର ନାମକ ଜଣେ ବୃଦ୍ଧଙ୍କୁ ଗତ ୨୮ ତାରିଖରୁ ଅପହରଣ କରାଯାଇଥିବାର ଅଭିଯୋଗ ହୋଇଥିଲା। ଏନେଇ ତାଙ୍କ ପୁଅ ପ୍ରଦୀପ କୁଅଁର ଥାନାରେ ଦ୍ୱାରସ୍ଥ ହୋଇ ଅପହରଣକାରୀଙ୍କ ସମ୍ପର୍କରେ ବିସ୍ତୃତ ସୂଚନା ଦେବା ସହିତ ବିହିତ ପଦକ୍ଷେପ ନେବାକୁ ଦାବି କରିଥିଲେ ।

ସୂଚନା ମୁତାବକ, ବୃଦ୍ଧ ଧରଣୀଧରଙ୍କର କୋଲକାତାରେ ଏକ ଦୋକାନ ରହିଛି। ଉକ୍ତ ଦୋକାନକୁ ସ୍ଥାନୀୟ ଧୁଷୁରୀ ଥାନାଧିନ ଭଣ୍ଡାରୀପଡା ଗାଁର ପପୁ ପଣ୍ଡା ନାମକ ଜଣେ ଯୁବକଙ୍କୁ ଲିଜ୍ ସୂତ୍ରରେ ଦେଇଛନ୍ତି। ଭଡା ଟଙ୍କା ଦେବା କଥା କହି ପପୁ ପଣ୍ଡା ଗତ ୨୮ ତାରିଖରେ ବୃଦ୍ଧଙ୍କୁ ଉପରଦୁମୁକାରୁ ବାଇକରେ ବସାଇ ତାଙ୍କ ଘରକୁ ନେଇ ଯାଇଥିଲେ। ଏହା ପରଠାରୁ ବୃଦ୍ଧ ଆଉ ଘରକୁ ଫେରି ନାହାନ୍ତି।

ପପୁ ପଣ୍ଡାଙ୍କୁ ଫୋନ ଯୋଗେ ପଚାରିବାରୁ ତାଙ୍କ ଘରୁ ଦୋକାନ ଭଡା ବାବଦରେ ୨୦ ହଜାର ଟଙ୍କା ନେଇ ସେଦିନ ବୃଦ୍ଧ ଫେରି ଯାଇଥିବା କହିଥିଲେ। ମାତ୍ର ଚାରିଆଡେ ଖୋଜାଖୋଜି କରାଯାଇଥିଲେ ମଧ୍ଯ ବୃଦ୍ଧଙ୍କ ପତ୍ତା ମିଳୁନ ଥିଲା। ଯାହାକୁ ନେଇ ପପୁ ପଣ୍ଡା ବୃଦ୍ଧଙ୍କୁ ବଳପୂର୍ବକ ଅପହରଣ କରିଥିବା ବୃଦ୍ଧଙ୍କ ପୁଅ ପ୍ରଦୀପ କୁଅଁର ଏତଲାରେ ଦର୍ଶାଇଛନ୍ତି। ତେବେ ପୋଲିସ ଏହି ଘଟଣାରେ ଶବ ବ୍ଯବଛେଦ ପରେ ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.