ଜଳେଶ୍ୱର : ବାଲେଶ୍ବର ଶଙ୍କରପୁର ବେଳାଭୂମିରୁ ମାଛ ଧରିବାକୁ ଯାଇ ନିଖୋଜ ହୋଇ ଯାଇଥିବା ମତ୍ସ୍ୟଜୀବୀଙ୍କ ଟ୍ରଲରର ସନ୍ଧାନ ମିଳିଲା । ପଶ୍ଚିମବଙ୍ଗ କାକଦ୍ବୀପ ନିକଟ ସମୁଦ୍ରରୁ ଟ୍ରଲରକୁ ଉଦ୍ଧାର କରାଯାଇଛି । ରକ୍ତାକ୍ଷରୀ ଚଡ଼ ନିକଟରେ ଟ୍ରଲର ଓଲଟି ପଡ଼ିଥିବା ସୂଚନା ମିଳିଛି । ଟ୍ରଲର ଭିତରେ କିଛି ମୃତଦେହ ଥିବା ସନ୍ଦେହ କରାଯାଉଛି । ଏବେ ସୁଦ୍ଧା ଜଣଙ୍କ ମୃତଦେହ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୧୪ ମତ୍ସ୍ୟଜୀବୀଙ୍କର ଏଯାଏଁ ସନ୍ଧାନ ମିଳିନି । ଏନେଇ ସୂଚନା ଦେଇଛନ୍ତି ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ । ୧୦ ଦିନ ତଳେ, ଗତ ୨୨ ତାରିଖରେ ଶଙ୍କରପୁର ବେଳାଭୂମିରୁ ଟ୍ରଲର ଯୋଗେ ଇଲିଶି ମାଛ ଧରିବାକୁ ବାହାରିଥିଲେ ୧୫ ଜଣ ମତ୍ସ୍ୟଜୀବୀ । ଗଭୀର ସମୁଦ୍ରରେ ନିଖୋଜ ହୋଇ ଯାଇଥିଲେ । ଦୀର୍ଘ ୧୦ ଦିନ ପରେ ନିଖୋଜ ଟ୍ରଲର ‘ଜୟ ମା’ କାଳୀ’ ର ସନ୍ଧାନ ମିଳିଛି । ପଶ୍ଚିମବଙ୍ଗର ବଗଖାଲି ଉପକୂଳରେ ଟ୍ରଲରଟିକୁ ବୁଡ଼ି ଥିବା ଅବସ୍ଥାରେ ଠାବ କରାଯାଇଛି । ଯୁଦ୍ଧକାଳୀନ ଭିତ୍ତିରେ ସମୁଦ୍ରରୁ ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଛି ।