ଅମ୍ଳଜାନ ବିନା ପ୍ରାଣୀଜଗତ ବଞ୍ଚିବା ଅସମ୍ଭବ, ଏନେଇ ଆରମ୍ଭ ହୋଇଛି ମିଶନ ଅକ୍ସିଜେନ

ଏ ମଣିଷ ନିଜ ସୁବିଧା ପାଇଁ ଗଛ କାଟି ଚାଲିଛି । ଫଳରେ ସାରା ବିଶ୍ୱରେ ଅମ୍ଳଜାନ ସ୍ତର କମୁଛି । କିନ୍ତୁ କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ଅମ୍ଳଜାନର ଅଭାବ ଦୂର କରିବା ପାଇଁ ପ୍ରାଣପ୍ରଣେ ଚେଷ୍ଟା କରୁଛନ୍ତି । ଅମ୍ଳଜାନ ପାଇଁ ଗତ କରୋନା ସମୟରେ ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଇଛି । ସେ ସବୁକୁ ଆଖିଆଗରେ ରଖି ସରକାରୀ ଓ ବେସରକାରୀ ସ୍ତରରେ ଅନେକ ଉଦ୍ୟମ ଚାଲିଥିବା ବେଳେ ବିଭିନ୍ନ ଯୋଜନା ମଧ୍ୟ କରାଯାଉଛି । ସମାନ ଭାବେ ପାଟଣାଗଡ଼ ୟୁନିୟନ ବ୍ୟାଙ୍କ ଓ ପ୍ରେସ କ୍ଲବର ମିଳିତ ଉଦ୍ୟମରେ ଜଙ୍ଗଲ ବିଭାଗର ସହଯୋଗରେ କରାଯାଇଛି ବୃକ୍ଷରୋପଣ କାର୍ଯ୍ୟକ୍ରମ ମିଶନ ଅକ୍ସିଜେନ ।

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଖୁଣ୍ଟ ସମଲାଇ ଗ୍ରାମପଞ୍ଚାୟତ ଦୈତାରୀମୁଣ୍ଡା ଜଙ୍ଗଲବିଭାଗର ନର୍ସରୀ ଠାରେ ପାଟଣାଗଡ଼ ୟୁନିୟନ ବ୍ୟାଙ୍କ କର୍ମଚାରୀ ଓ ପାଟଣାଗଡ଼ ପ୍ରେସ କ୍ଲବର ସଦସ୍ୟ ମାନେ ବାୟୁମଣ୍ଡଳରେ ଅମ୍ଳଜାନର ଅଭାବ ଦୂର କରିବା ପାଇଁ ଲଗାଇଛନ୍ତି ବିଭିନ୍ନ ପ୍ରଜାତିର ୩୦୦ ରୁ ଉର୍ଦ୍ଧ୍ୱ ଗଛ । ବ୍ୟାଙ୍କ କର୍ମଚାରୀ, ପ୍ରେସକ୍ଲବର ସଦସ୍ୟ ମାନେ ପାଟଣାଗଡ଼ ରେଞ୍ଜ ଓ ଲରମ୍ଭା ଫରେଷ୍ଟ ସେକ୍ସନର କର୍ମଚାରୀ ମିଶି ଆମ୍ବ, ପଣସ, ଲେମ୍ବୁ ଇତ୍ୟାଦି ୩୦୦ ରୁ ଅଧିକ ଫଳଗଛ ଲଗାଇଥିଲେ । ଗଛ ବଡ଼ ହେଲେ ଲୋକ ଫଳ ଖାଇବେ ଓ ଜଙ୍ଗଲକୁ ଆସୁଥିବା ଲୋକ ଫଳ ଗଛକୁ ସହଜରେ କାଟିବେ ନାହିଁ । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ପାଟଣାଗଡ଼ ବିଡିଓ, ବ୍ୟାଙ୍କ କର୍ମଚାରୀ, ବନକର୍ମଚାରୀ ଓ ପ୍ରେସ କ୍ଲବର ସଦସ୍ୟ ଯୋଗ ଦେଇଥିଲେ ।

ସମସ୍ତଙ୍କୁ ଅମ୍ଳଜାନ ଦରକାର ସେଥିପାଇଁ ବୃକ୍ଷକୁ ସୁରକ୍ଷା ଦେବା ଓ ଆମ ଚାରିପାଖରେ ସବୁଜ ବନାନୀ ସୃଷ୍ଟି କରିବା ହିଁ ଉଦ୍ଦେଶ୍ୟ । ମା’ ପାଇଁ ଗଛଟିଏ ସମସ୍ତେ ଲଗାଇବା ପାଇଁ ପାଟଣାଗଡ଼ ବିଡିଓ ସମସ୍ତଙ୍କୁ ଅନୁରୋଧ କରିଥିଲେ । ସମସ୍ତ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ନିଜ ଅଞ୍ଚଳରେ ସବୁଜ ବନାନୀ ସୃଷ୍ଟି କରି ବାୟୁମଣ୍ଡଳରେ ଅମ୍ଳଜାନର ସ୍ତର ବୃଦ୍ଧି କରିବା ସହିତ ମାନବ ସମାଜକୁ ବଡ଼ ବିପତ୍ତିରୁ ବଞ୍ଚାଇବା ପାଇଁ ଆଗେଇ ଆସନ୍ତୁ ବୋଲି ସମସ୍ତଙ୍କୁ ଆହ୍ୱାନ କରିଛନ୍ତି ବ୍ୟାଙ୍କ ମ୍ୟାନେଜର ଓ ପ୍ରେସ କ୍ଲବ ସଭାପତି ।

ଅମ୍ଳଜାନ ବିନା ପ୍ରାଣୀଜଗତ ବଞ୍ଚିବା ଅସମ୍ଭବ । କିନ୍ତୁ ବାୟୁ ମଣ୍ଡଳରେ ଅମ୍ଳଜାନର ସ୍ତର ଧିରେ ଧିରେ କମିବାକୁ ଲାଗିଲାଣି । ଅମ୍ଳଜାନ ସ୍ତର ବଢାଇବା ପାଇଁ ଗଛ ହିଁ ଏକମାତ୍ର ବିକଳ୍ପ ଏଣୁ ଗଛ କୁ ସୁରକ୍ଷା ଦେବା ଆମ ସମସ୍ତଙ୍କ କର୍ତ୍ତବ୍ୟ ହେବା ଉଚିତ ।

 

You might also like