ଦିଲ୍ଲୀରେ ମିଶନ ଶକ୍ତି ଷ୍ଟଲର ଡିମାଣ୍ଡ : କନ୍ଧମାଳ ହଳଦୀ, ବିଭିନ୍ନ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟ କିଣିବାକୁ ଲୋକଙ୍କ ଆଗ୍ରହ

ଭୁବନେଶ୍ୱର: ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଚାଲିଛି ୪୩ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୪ । ଏହି ମେଳାରେ ଓଡ଼ିଶାର ମିଶନ ଶକ୍ତି ମହିଳାମାନଙ୍କ ହାତ ତିଆରି ବିଭିନ୍ନ ଉତ୍ପାଦର ବିଶେଷ ଚାହିଦା ରହିଛି । କନ୍ଧମାଳ ହଳଦୀ ସହିତ ମାଣ୍ଡିଆ ଓ ବିଭିନ୍ନ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ କିଣିବା ପାଇଁ ‘ଓଡ଼ିଶା ମଣ୍ତପ’ରେ ଲୋକଙ୍କର ଭିଡ଼ ଜମୁଛି ।

ନଭେମ୍ବର ୧୪ରୁ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଆରମ୍ଭ ହୋଇ ଛି। ସୋମବାର ଦିନ ସଂସଦୀୟ କମିଟିର (ବାଣିଜ୍ୟ) ପ୍ରତିନିଧିମାନେ ‘ଓଡ଼ିଶା ମଣ୍ଡପ’ ପରିଦର୍ଶନ କରିଥିଲେ । ଓଡ଼ିଶାର କାରୁକାର୍ଯ୍ୟ, କଳା କାରିଗରିକୁ ଦେଖି ସେମାନେ ପ୍ରଶଂସା କରିଥିଲେ । ‘ଓଡ଼ିଶା ମଣ୍ଡପ’ରେ ଏଥର ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ମୋଟ ୨୫ଟି ଷ୍ଟଲ ସ୍ଥାନ ପାଇଛି । ତା’ଭିତରେ ମିଶନ ଶକ୍ତି ବିଭାଗ ପକ୍ଷରୁ ୫ଟି ଷ୍ଟଲ ରହିଛି । ଏଥିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର (ଏସଏଚଜି) ସଦସ୍ୟାମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଉତ୍ପାଦ ଆକର୍ଷଣ ସାଜିଛି ।

ଯାଜପୁର ଜିଲ୍ଲାର ଜୟ ମା’ ମଙ୍ଗଳା ଏସଏଚଜି, କେନ୍ଦ୍ରାପଡ଼ା ଜିଲ୍ଲାର ସତ୍ୟସାଇ ଉତ୍ପାଦକ ଗୋଷ୍ଠୀ, ବାଲେଶ୍ୱରର ମା’ ସୁଭଦ୍ରା ଏସଏଚଜି, କନ୍ଧମାଳର ଶ୍ରୀୟା ଏସଏଚଜି ଏବଂ ଖୋର୍ଦ୍ଧାର ରାଧାରାଣୀ ଏସଏଚଜି ପକ୍ଷରୁ ପ୍ରସ୍ତୁତ ବିଭିନ୍ନ ଉତ୍ପାଦ ଓଡ଼ିଶା ମଣ୍ଡପରେ ପ୍ରଦର୍ଶନ ଓ ବିକ୍ରି କରାଯାଉଛି । ‘‘ପ୍ରଥମ ଥର ପାଇଁ ଆମେ ଦିଲ୍ଲୀରେ ଚାଲିଥିବା ଅନ୍ତର୍ଜାତୀୟ ବାଣିଜ୍ୟ ମେଳାକୁ ଆସିଛୁ । ଆମ ଷ୍ଟଲରେ ଜଉ କଣ୍ଢେଇ ଓ ଲାଖ ଚୁଡ଼ି ଭଲ ବିକ୍ରି ହେଉଛି । ଲୋକମାନେ ଆସି ଏହାକୁ ଆଗ୍ରହର ସହିତ କିଣିବା ସହ ଏସବୁ କେମିତି ତିଆରି ହେଉଛି ତାହା ପଚାରି ବୁଝୁଛନ୍ତି’’, କହିଛନ୍ତି ଏସଏଚଜି ସଦସ୍ୟା ଫୁଲମଣି ସୋରେନ୍ ।

‘ଓଡ଼ିଶା ମଣ୍ଡପ’ରେ ଥିବା ମିଶନ ଶକ୍ତି ଷ୍ଟଲରେ କନ୍ଧମାଳ ହଳଦୀ ସହିତ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ନୁଡୁଲ୍ସ, ମିକ୍ସଚର, କୁରୁମା, ନିମିକି, ସେଉ ଏବଂ ଲଡୁ ଆଦି ରହିଛି । ସେହିପରି ଟସରରୁ ତିଆରି ଆକର୍ଷଣୀୟ ଶାଢ଼ି ଓ ଆଧୁନିକ ପୋଷାକ, ଜଉ କଣ୍ଢେଇ ଓ ଲାଖ ଚୁଡ଼ି, କାଇଁଚ ଓ ସବାଇ ଘାସରୁ ପ୍ରସ୍ତୁତ ଘର ସାଜସଜ୍ଜା ଜିନିଷ ଏବଂ ବିଭିନ୍ନ ମସଲା ଆଦି ଦର୍ଶକଙ୍କୁ ଆକୃଷ୍ଟ କରୁଛି ।

ମିଶନ ଶକ୍ତି ବିଭାଗ ପକ୍ଷରୁ ଖୋଲାଯାଇଥିବା ୫ଟି ଷ୍ଟଲରେ ୧୦ରୁ ଅଧିକ ଏସଏଚଜି ମହିଳା ଅଂଶଗ୍ରହଣ କରିଛନ୍ତି । ଦିଲ୍ଲୀ ବଜାରରେ ସେମାନଙ୍କ ହାତ ତିଆରି ସାମଗ୍ରୀ ବିକ୍ରି ଓ ପ୍ରଦର୍ଶନ କରିବାର ସୁଯୋଗ ପାଇଥିବାରୁ ସେମାନେ ଏଥିପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବାଣିଜ୍ୟ ମେଳା ବୁଲି ଆସୁଥିବା ଲୋକମାନେ ଓଡ଼ିଶା ମଣ୍ଡପରେ ମିଶନ ଶକ୍ତି ଷ୍ଟଲରୁ ମା’ମାନଙ୍କ ହାତ ତିଆରି ଜିନିଷ କିଣିବାକୁ ଆଗ୍ରହ ଦେଖାଉଛନ୍ତି । ରାଜ୍ୟ ସରକାରଙ୍କ ଏଭଳି ଏକ ଅନନ୍ୟ ପଦକ୍ଷେପକୁ ସେମାନେ ପ୍ରସଂଶା କରୁଛନ୍ତି ।

You might also like