ଲୋୟର ପିଏମଜିରେ ଧାରଣାରେ ମିଶନ ଶକ୍ତି ମହିଳା, ଛ’ ମାସ ହେଲା ବକେୟା ଦରମା ମିଳିନଥିବା ଅଭିଯୋଗ

ଭୁବନେଶ୍ୱର : ଶୀତ, କାକରରେ ଧାରଣାରେ ବସିଛନ୍ତି ମିଶନ ଶକ୍ତି ମହିଳା । ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ ପକ୍ଷରୁ ଭୁବନେଶ୍ବର ଲୋୟର ପିଏମଜିରେ ଅହୋରାତ୍ର ଧାରଣା ଦିଆଯାଇଛି । ଏଥିରେ ହଜାର ହଜାର ସଂଖ୍ୟାରେ ମହିଳା ସାମିଲ ହୋଇଛନ୍ତି । ଇସି ସଦସ୍ୟଙ୍କ ରିଷ୍ଟ୍ରକଚରିଂ ନିର୍ଦ୍ଦେଶନାମା ପ୍ରତ୍ୟାହାର ଓ ସ୍ଥାୟୀ ନିଯୁକ୍ତି ଦାବିରେ ଏହି ବିକ୍ଷୋଭ କରାଯାଉଛି । ଅନ୍ୟପଟେ ଏ ମାନଙ୍କୁ ଛ’ ମାସ ହେଲା ବକେୟା ଦରମା ମିଳିନଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି ।
ସଂଘର ଅଭିଯୋଗ ଅନୁଯାୟୀ, ଏନଏଲଆରଏମ ଅଧୀନରେ ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତିରେ ବିଗତ ୩ ବର୍ଷରୁ ୨୫ ବର୍ଷ ଧରି ଲକ୍ଷାଧିକ ଏକଜିକ୍ୟୁଟିଭ କମିଟି-ଇସି ସଦସ୍ୟା କାର୍ଯ୍ୟ କରୁଛନ୍ତି । ପୁନର୍ଗଠନ ଆଳରେ ଏମାନଙ୍କୁ ବାହାର କରିବା ପାଇଁ ସରକାରଙ୍କ ପକ୍ଷରୁ ଦୁଇଟି ନିର୍ଦ୍ଦେଶନାମା ଜାରି ହୋଇଛି । ସରକାରଙ୍କ ପକ୍ଷରୁ ଜାରି ନୂଆ ଗାଇଡଲାଇନ ଫଳରେ ରାଜ୍ୟରେ କାର୍ଯ୍ୟରତ ଲକ୍ଷାଧିକ ଇସି ସଦସ୍ୟା ଓ ୬ ଲକ୍ଷ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଭାପତି, ସଂପାଦକ , ସିଆରପି ଓ ଏମବିକେମାନେ ଚାକିରି ହରାଇବେ । ତେଣୁ ଏହି ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରିବା ଦାବିରେ ସଂଘ ପକ୍ଷରୁ ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲାସ୍ତରୀୟ ଆନ୍ଦୋଳନ ଜାରି ରହିଛି । ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରିବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି । ଦାବି ପୂରଣ ନ ହେବା ଯାଏଁ ଧାରଣା ଜାରି ରହିବ ବୋଲି ଆନ୍ଦୋଳନକାରୀ କହିଛନ୍ତି ।
ଆହୁରି ପଢନ୍ତୁ : ଯୁବ ଇଞ୍ଜିନିୟର ରାକେଶଙ୍କୁ ରୋଜଗାରର ବାଟ ଦେଖାଇଲା ପରିତ୍ୟକ୍ତ ପ୍ଲାଷ୍ଟିକ