ଶ୍ମଶାନ ସଫା କରି ଚର୍ଚ୍ଚାରେ ବିଧାୟକ, ସାଧାରଣ ଜୀବନଚର୍ଯ୍ୟାରେ କାଟୁଛନ୍ତି ଜୀବନ

ନବରଙ୍ଗପୁର(କେନ୍ୟୁଜ): ନିର୍ବାଚିତ ହେବା ପରେ ପ୍ରଥମଥର ପାଇଁ ଯେତେବେଳେ ସେ ନିଜ ନବରଙ୍ଗପୁର ମାଟିରେ ପହଁଚିଥିଲେ ନବରଙ୍ଗପୁର ସହରକୁ ପ୍ରବେଶ ପୂର୍ବରୁ ମାଟିରେ ଶୋଇ ପ୍ରଥମେ ମୁଣ୍ଡିଆ ମାରିଥିଲେ । ଯାହା ଏ ମାଟି ପ୍ରତି ଥିବା ତାଙ୍କ ଭଲପାଇବା ଆଉ ସମ୍ମାନକୁ ଜଣାଇଥିଲା । ପୁଣି ଥରେ ସାଧାରଣ ଜୀବନଚର୍ଯ୍ୟା ପାଇଁ ବିଭିନ୍ନ ମହଲରେ ପ୍ରଶଂସିତ ହେଉଛନ୍ତି ନବରଙ୍ଗପୁରର ନବ ନିର୍ବାଚିତ ବିଧାୟକ ଗୌରୀ ଶଙ୍କର ମାଝୀ ।

ରାସ୍ତା ସଫେଇ, ଗାଁ ସଫେଇ କଥା ସମସ୍ତେ ଶୁଣିଥିବେ ଓ ଜାଣିଥିବେ କିନ୍ତୁ ଶ୍ମଶାନ ସଫେଇ କଥା ଶୁଣିବାକୁ ଟିକେ ଅଡୁଆ ଲାଗିପାରେ । ସାଧାରଣତଃ ଲୋକେ ଶ୍ମଶାନକୁ ଶବଦାହ ପାଇଁ ଯାଉଥିବା ବେଳେ ଅନ୍ୟ ସମୟରେ ଶ୍ମଶାନକୁ ଯିବାକୁ କେହି ବି ଆଗ୍ରହ କରନ୍ତି ନାହିଁ । କିନ୍ତୁ ବିଧାୟକ ହୋଇ ମଧ୍ୟ ମଣିଷର ଶେଷ ଠିକଣା ଶ୍ମଶାନ ସଫେଇ କରିବାକୁ ହାତରେ କୋଦାଳ ଝାଡୁ ଧରି ଆଗେଇ ଆସିଥିଲେ ବିଧାୟକ । ନବରଙ୍ଗପୁର ସହର ଇନ୍ଦ୍ରାବତୀ ନଦୀ କୂଳର ଶ୍ମଶାନରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଏବଂ ତାଙ୍କ ପ୍ରମୁଖ ସହଯୋଗୀ ବଣିକ ସଙ୍ଘର ସଭାପତି କାହ୍ନ ଦାଶ କିଛି ଯୁବ ଗୋଷ୍ଠୀଙ୍କ ସହ ମିଶି ସଫେଇ କାର୍ଯ୍ୟ କରିଛନ୍ତି ।

ଶପଥ ଗ୍ରହଣ ପରେ ସମସ୍ତ ଜନ ପ୍ରତିନିଧି ନିଜ ନିଜ ଅଞ୍ଚଳ ଗସ୍ତ କରିଥିବା ବେଳେ ନବରଙ୍ଗପୁର ବିଧାୟକ ମଧ୍ୟ ତାଙ୍କ ନିର୍ବାଚନ ମଣ୍ଡଳୀ ଗସ୍ତରେ ଅଛନ୍ତି । ନବରଙ୍ଗପୁର ସହର ଉପକଣ୍ଠରେ ଥିବା ଶ୍ମଶାନ ସଫେଇ କାର୍ଯ୍ୟରୁ ଆରମ୍ଭ ହୋଇଛି ତାଙ୍କର ଜନସେବା ଅଭିଯାନ । ବିଧାୟକ ଗୌରୀ ଶଙ୍କର ମାଝୀଙ୍କୁ ନବରଙ୍ଗପୁର ସହରସ୍ଥିତ ଶ୍ମଶାନ ପରିସରରେ ଦେଖିବାକୁ ମିଳିଥିଲା । ବିଧାୟକଙ୍କ ସହ “ଆଇକନସ ଇନ ମୋସନ” ଗ୍ରୁପର ସଦସ୍ୟମାନେ ଶ୍ମଶାନ ସଫେଇ କାର୍ଯ୍ୟରେ ସାହାଯ୍ୟ କରିଥିଲେ । ଶ୍ମଶାନ ପରିସରକୁ ସଫେଇ କରିବା ସହ ଶବଦାହରେ ବ୍ୟବହୃତ ଅଧାପନ୍ତରୀୟ କାର୍ଯ୍ୟକୁ ସମ୍ପୂର୍ଣ କରିଥିଲେ ।

ସ୍ୱଚ୍ଛ ଭାରତ ଅଭିଯାନକୁ ଗୁରୁତ୍ୱ ଦେଇ ଏଭଳି ସଫେଇ କାର୍ଯ୍ୟ କରିବାକୁ ବିଧାୟକ ଆଗଭର ହୋଇଥିବା ଦେଖିବାକୁ ମିଳିଛି । ଆଗରୁ କୌଣସି ବିଧାୟକ ସ୍ମଶାନ ସଫେଇ କରିନଥିବା ବେଳେ ନବ ନିର୍ବାଚିତ ବିଧାୟକ ଏହି ସଫେଇ କାର୍ଯ୍ୟ କରିଥିବାରୁ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.