ଗଅପଦର ଗାଁରେ ପ୍ରଥମ ଥର ପଡ଼ିଲା ନେତାଙ୍କ ପାଦ

ଗଞ୍ଜାମ : ଏଇ ସୋରିଷ ଶାଗର ଫୁଲ ଓ କଖାରୁ ଦେଇ, ଆପଣଙ୍କୁ ନିମନ୍ତ୍ରଣ କରୁଛୁ । ଆପଣ ଆମ ଗାଁକୁ ଥରେ ଆସନ୍ତୁ…. ଆମେ କେମିତି ଚଳୁଛୁ ଦେଖିବେ । ବଣ, ପାହାଡ ଅଞ୍ଚଳରେ ରହୁଛୁ । ଉଠାଣି-ଗଡାଣି ପଥୁରିଆ ରାସ୍ତାରେ ଯିବା-ଆସିବା କରୁଛୁ । ୭ କିଲୋମିଟର ଚାଲି ଚାଲି ପାହାଡ ଖସିଲେ, ରାସନ ସାମଗ୍ରୀ ପାଉଛୁ । ଗାଡି ତ ଦୂରର କଥା , ଚାଲିକି ଯିବା ବି’ ଅସମ୍ଭବ । ଆମ୍ବୁଲାନ୍ସ ଯାଇ ପାରେନି । ରୋଗୀଙ୍କୁ ଖଟିଆରେ ଦୋଳା କରି ନେବାକୁ ପଡ଼େ। ଆମ ଆଶ୍ରୟ କହିଲେ ୪ ରୁ ୬ ଟି କାଠ-ଖୁଣ୍ଟ ଉପରେ ନଡା-ପାଳ ଗଣ୍ଡେ ଥୋଇଦେଇ, ଝାଟି-ବାଉଁଶର କାନ୍ଥରେ ମାଟି ଗଣ୍ଡେ ନେସିଦେଲେ ଯାହା ଦେଖାଯାଏ, ସେଇଟା ହିଁ ଆମ ଘର । ପିଲା-ଛୁଆଙ୍କୁ ଧରି, ପାହାଡ ଉପରେ ଅତି ଦୟନୀୟ ଭାବେ ଜୀବନ ବିତାଉଛୁ । ଆମେ ଆପଣଙ୍କୁ କିଛି ମାଗିବାକୁ ଆସିନୁ । କେବଳ, ଥରେ ଆମ ଗାଁକୁ ଆସନ୍ତୁ । ଆସିଲା ପରେ ଆପଣ ହିଁ ଚିନ୍ତା କରିବେ କଣ କରାଯିବା ଆବଶ୍ୟକ ? ଏ କଥା ଥିଲା ଗାଁ ଲୋକଙ୍କର…..

ଗାଁ ଲୋକଙ୍କ ଏମିତି କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବିଧାୟକ । ସୋରିଷ-ଶାଗର ଥାଳି ଧରି କଥା ଦେଲେ ବିଧାୟକ । ମୁଁ ତମ ଗାଁକୁ ନିଶ୍ଚୟ ଯିବି….ଏହାଥିଲା ଗତ ନଭେମ୍ବର ୧୦ ତାରିଖର ଘଟଣା ।ଗଞ୍ଜାମ ଜିଲ୍ଲା ଭଂଜନଗର ସ୍ଥିତ ସୋରାଦେବୀ ମନ୍ଦିର ଠାରେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ଭେଟିଥିଲେ । ଭଂଜନଗର ବ୍ଳକ୍ ଦୋମୁହାଁଣି ପଞ୍ଚାୟତ ଅନ୍ତର୍ଗତ ବଣ-ପାହାଡ ଘେରା ଦୁର୍ଗମ ଅଞ୍ଚଳର ଗଅପଦର ଗ୍ରାମବାସୀ ।

ଶେଷରେ ଦେଇଥିବା କଥା ରଖିଲେ, ବିଧାୟକ ଶ୍ରୀ ନାୟକ । କିଛି ଦିନ ବ୍ୟବଧାନରେ ଗସ୍ତ କଲେ ଗଅପଦର ଗାଁ । ସାଥିରେ ଥିଲେ ପ୍ରଶାସନିକ, ବିଭିନ୍ନ ବିଭାଗର ଅଧିକାରୀ । ବହୁ ସଂଖ୍ୟକ ସମାଜସେବୀ ଏବଂ ଜନସାଧାରଣ ମଧ୍ୟ ସାମିଲ ହୋଇଥିଲେ । ଦୀର୍ଘ ୭ କିଲୋମିଟର ଦୂର ଜଙ୍ଗଲ, ପଥୁରିଆ ରାସ୍ତା ଓ ପାହାଡ ଚଢି, ଚାଲିଚାଲି ଯାଇ ଗାଁରେ ପହଞ୍ଚିଲେ । ଦୁର୍ଗମ ଅଞ୍ଚଳର ପରିସ୍ଥିତି ଦେଖିଲେ ଏବଂ ସଂପୃକ୍ତ ଗାଁ ଲୋକଙ୍କୁ ଭେଟିଲେ । ଏହାସହ ରହିଥିବା ସମସ୍ୟାର ସମାଧାନ ପାଇଁ ଆଲୋଚନା ମଧ୍ୟ କଲେ । ସ୍ବାଧୀନତାର ଦୀର୍ଘ ପରେ ମଧ୍ୟ ଅବହେଳିତ ହୋଇ ରହିଥିବା ଗଅପଦର ଗାଁର ବିକଳ ଚିତ୍ରକୁ ନିଜ ଆଖିରେ ଦେଖି ବିଶ୍ବାସ କରିପାରି ନଥିଲେ ବିଧାୟକ । ରାସ୍ତାଘାଟ ଠାରୁ ଆରମ୍ଭ କରି ବିଜୁଳି, ଶିକ୍ଷା – ସ୍ବାସ୍ଥ୍ୟ ଭଳି ମୌଳିକ ଆବଶ୍ୟକତା ଅପହଞ୍ଚ ହୋଇ ପଡିଥିବା ଅନୁଭବ କରିଥିଲେ । ଏସବୁ ସମସ୍ୟାର ତୁରନ୍ତ ସମାଧାନ ହେବ ବୋଲି ଗାଁ ଲୋକଙ୍କୁ ପ୍ରତିଶ୍ରୁତି ଦେଲେ ବିଧାୟକ । ଏଣୁ କଥା ଦେଇ କଥା ରଖିଥିବାରୁ ବିଧାୟକ ଶ୍ରୀ ନାୟକଙ୍କୁ ବୁଦ୍ଧିଜୀବୀ ଏବଂ ସାଧାରଣ ମହଲରେ ପ୍ରଶଂସା କରାଯାଉଛି ।

You might also like