ବିଧାୟକ ଯୋଗେଶ ସିଂଙ୍କ ଉପରେ କଂଗ୍ରେସର ଆକ୍ସନ, ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ

ନିଲମ୍ବନ ପରେ ପ୍ରତିକ୍ରିୟା ରଖିଛନ୍ତି ଯୋଗେଶ ସିଂ

ଭୁବନେଶ୍ବର(କେନ୍ୟୁଜ୍ ) : ନବ ଦାସଙ୍କ ଇସ୍ତଫା ପରେ ଆକ୍ସନ ମୁଡରେ କଂଗ୍ରେସ । ବିଧାୟକ ଯୋଗେଶ ସିଂ କଂଗ୍ରେସରୁ ନିଲମ୍ବିତ। ଦଳ ବିରୋଧୀ କାର‌୍ୟ୍ୟ ଅଭିଯୋଗରେ ଯୋଗେଶ ସିଂଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଗତକାଲି ଶୃଙ୍ଖଳା କମିଟି ବୈଠକରେ ଏନେଇ ବିଚାରବିମର୍ଶ କରାଯାଇଥିଲା। ନିଲମ୍ବନ ନେଇ ସୂଚନା ଦେଇଛନ୍ତି ପିସିସି ଶୃଙ୍ଖଳା କମିଟି ଆବାହକ ଅନନ୍ତ ସେଠୀ ।

ଯୋଗେଶ କହିଥିଲେ, ଆସନ୍ତା ୨୫ ତାରିଖରେ ରାହୁଲଙ୍କ ସଭାକୁ ଯିବେ ନାହିଁ। ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା କରି ମନ୍ତବ୍ୟ ଦେଇଥିଲେ। ଯାହାକୁ ଦଳ ଭିତରେ ବିରୋଧ କରାଯାଇଥିଲା। ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିଲେ ବିଧାୟକ ନବ ଦାସ । ତାଙ୍କ ପରେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂଙ୍କୁ ନେଇ ବଢ଼ିଥିଲା ସସପେନ୍ସ। ଯୋଗେଶଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ପାଇଁ ପିସିସି ମୁଖ୍ୟଙ୍କୁ ସୁପାରିଶ କରିଥିଲେ ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ ସଭାପତି । ଯୋଗେଶ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ପ୍ରତିକ୍ରିୟା :

ନିଲମ୍ବନ ପରେ ପ୍ରତିକ୍ରିୟାରେ ଯୋଗେଶ ସିଂ କହିଛନ୍ତି, ସେ ଦଳ ବିରୋଧୀ କୌଣସି କାର୍ଯ୍ୟ କରି ନାହାନ୍ତି। ରାଜ୍ୟରେ ହୋଇଥିବା ଉନ୍ନତିମୂଳକ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିଲେ । ଏବେ ବି କରୁଛନ୍ତି। ଦଳ ଛାଡ଼ିବା ସମ୍ପର୍କରେ କିଛି କହିନଥିଲି । ସେହିପରି ମୋର କାର୍ଯ୍ୟକ୍ରମ ଥିବାରୁ ରାହୁଲଙ୍କ ସଭାକୁ ଯାଇପାରିବି ନାହିଁ ବୋଲି କହିଥିଲି। ଜଣଙ୍କୁ ପ୍ରଶଂସା କରିବା କଣ ଦଳବିରୋଧୀ କାର୍ଯ୍ୟ ବୋଲି ପ୍ରଶ୍ନ କରିଛନ୍ତି ଯୋଗେଶ। ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେବେ ବୋଲି କହିଛନ୍ତି। ବ୍ୟକ୍ତି ହିସାବରେ ମୋତେ ଭୋଟ ମିଳିଛି ବୋଲି ଯୋଗେଶ ସିଂ କହିଛନ୍ତି।