ନିଜ ହାତରେ ମାଟି ଓ ପିଚୁ କାଢି ଭଲି କରି ଦେଖିଲେ ବିଧାୟକ । ଗୋଡ଼ରେ ରାସ୍ତାର ପିଚୁ ଓ ମେଟାଲ କାଢ଼ି ଯାଞ୍ଚ କଲେ। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତାକୁ ଦେଖି ଅବାକ ହେଲେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ । ରାସ୍ତାଟି ମାତ୍ର ୪ ମାସ ତଳେ ନିର୍ମାଣ ହୋଇଥିବା ଜାଣି ଆହୁରି ତାତିଲେ । ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କ ଉପରେ ଭୀଷଣ ବିଗିଡ଼ିଲେ । ତୁରନ୍ତ ଦୋଷୀ ଅଧିକାରୀ ଓ ଠିକାଦାର ବିରୁଦ୍ଧରେ ଆକ୍ସନ ନେବାକୁ ତାଗିଦ କଲେ । ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଖୁଣ୍ଟିଆ ଛକ ନିକଟରେ ନିର୍ମାଣ ହୋଇଥିବା PMGSY ରାସ୍ତାକୁ ଦେଖିବା ପରେ ଏ ପ୍ରତିକ୍ରିୟା ଦେଖିବାକୁ ମିଳିଛି ବିଧାୟକଙ୍କର ।
ଖୁଣ୍ଟିଆ ଛକରୁ ଡେଙ୍ଗାତଟାଗୁଡାକୁ ଯିବା ପାଇଁ ନବରଙ୍ଗପୁର ଗ୍ରାମ୍ୟ ନିର୍ମାଣ ବିଭାଜନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କରାଯାଇଛି l ରାସ୍ତାର ପାର୍ଶ୍ୱରେ ଲାଗିଥିବା ଫଳକ ଅନୁସାରେ ଏହି ରାସ୍ତା ୨ କୋଟି ୩୦ ଲକ୍ଷ ୬୩ ହଜାର ଟଙ୍କା ବ୍ୟୟ ଅଟକଳରେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ ହୋଇଥିଲା । ୨୦୨୨ ମସିହାରେ କାର୍ଯ୍ୟ ଆରମ୍ଭ ହୋଇ ୨୦୨୩ ମସିହାରେ ଶେଷ ହୋଇଥିଲା l ତେବେ ଲେଖା ଅନୁସାରେ ନୁହେଁ ପ୍ରକୃତରେ ଏହି ରାସ୍ତାର ନିର୍ମାଣ କାମ ଗତ “ମେ” ମାସରେ ସମାପ୍ତ ହୋଇଛି l ଆଉ ଏବେ ଏଭଳି ଶୋଚନୀୟ ଅବସ୍ଥା। ରାସ୍ତାର କେବଳ ଯେ ସ୍ଥାନେ ସ୍ଥାନେ ପିଚୁ ଉଠିଛି ତାହା ନୁହଁ, ପୁରା ରାସ୍ତାର ଅନେକ ସ୍ଥାନରେ ପିଚୁ ପ୍ରାୟ ଦୁଇ ଫୁଟ ଦବି ଯାଇ କାଦୁଅ ରାସ୍ତାରେ ପରିଣତ ହୋଇଯାଇଛି l ଯାହାକୁ ସ୍ଥାନୀୟ ଗ୍ରାମବାସୀ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀଙ୍କ ନିକଟରେ ଅଭିଯୋଗ କରିଥିଲେ l
ଅନ୍ୟପଟେ ବିଭାଗୀୟ ଅଧିକାରୀ ନିମ୍ନମାନର କାମ କଥ ସ୍ୱୀକାର କରିଥିଲେ ମଧ୍ୟ କିଛି ସଫେଇ ଦେଇଛନ୍ତି । ତେବେ ଠିକାଦାର ନିଜ ଖର୍ଚ୍ଚରେ ପୁଣି ଥରେ ରାସ୍ତା ନିର୍ମାଣ କରିବେ ବୋଲି କହିଛନ୍ତି ଗ୍ରାମ୍ୟ ନିର୍ମାଣ ବିଭାଜନର SDO । ଏଭଳି ଭାବେ ଜନପ୍ରତିନିଧିମାନେ କାମ କଲେ ସାଧାରଣ ଲୋକଙ୍କ ଅନେକ ସମସ୍ୟା ଦୂର ହୋଇ ପାରିବ ।