ଆଜି ରାଷ୍ଟ୍ରୀୟ ରାଜଧାନୀରେ ରାଷ୍ଟ୍ରପତିଙ୍କୁ ଭେଟିବେ ବିଧାୟକ ଓ ମନ୍ତ୍ରୀ, ଜଣାଇବେ ଅଭିନନ୍ଦନ

(କେନ୍ୟୁଜ): ଆଜି ରାଷ୍ଟ୍ରପତିଙ୍କୁ ଭେଟିବେ ଓଡ଼ିଶା ବିଧାୟକ। ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଅଭିନନ୍ଦନ ଜଣାଇବେ ଓଡ଼ିଶାର ବିଧାୟକ ଓ ମନ୍ତ୍ରୀ । ଏଥିପାଇଁ ଗତକାଲିଠୁ ଦିଲ୍ଲୀରେ ପହଞ୍ଚିଛନ୍ତି ବିଧାନସଭା ଟିମ୍‌ । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ୩ ଦଳର ୨୪ ଜଣିଆ ଟିମ୍‌ ଦିଲ୍ଲୀ ଯାଇଛନ୍ତି । ଦିନ ୧୦ଟାରୁ ୧୧ଟା ୩୦ ମଧ୍ୟରେ ପ୍ରତିନିଧି ଦଳ ରାଇସିନା ହିଲ୍‌ ସ୍ଥିତ ରାଷ୍ଟ୍ରପତି ଭବନକୁ ଗସ୍ତ କରି ରାଷ୍ଟ୍ରପତିଙ୍କୁ ଭେଟିବେ। ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ଅଳଙ୍କୃତ କରିଥିବାରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବ ଏହି ଟିମ୍‌ । ରାଷ୍ଟ୍ରପତିଙ୍କୁ ଭେଟି ଦେବେ ମହାପ୍ରଭୁଙ୍କ ମହାପ୍ରସାଦ, ଜଗନ୍ନାଥଙ୍କ ଫଟୋଚିତ୍ର ଓ ଓଡ଼ିଆ କଳାକୃତି । ଏଥିସହ ଓଡ଼ିଶା ବିଧାନସସଭାରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଗୃହୀତ ସଂକଳ୍ପ ବାବଦରେ ଅବଗତ କରାଯିବ ।

ଏହି ପ୍ରତିନିଧି ଦଳରେ ବାଚସ୍ପତିଙ୍କ ସମେତ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ, ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, କଂଗ୍ରେସ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି, ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ଅନନ୍ତ ନାରାୟଣ ଜେନା ପ୍ରମୁଖ ଅଛନ୍ତି। କରୋନା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ କାରଣରୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଜେପି ବିଧାୟକ ଦଳ ନେତା ଜୟ ନାରାୟଣ ମିଶ୍ର ଏହି ଗସ୍ତରେ ସାମିଲ୍‌ ହୋଇନାହାଁନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.