ଜୋର ଧରିଲା ବିଧାୟକଙ୍କ ଦରମା ବୃଦ୍ଧି ଦାବି, ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କଲେ ବିଧାୟକଗଣ

କେନ୍ୟୁଜ୍(ବ୍ୟୁରୋ): ତେଲେଙ୍ଗାନାରେ ବିଧାୟକଙ୍କୁ ମାସିକ ଦରମା ଓ ଭତ୍ତା ବାବଦରେ ଅଢ଼େଇ ଲକ୍ଷ ଟଙ୍କା ମିଳୁଛି । ମହାରାଷ୍ଟ୍ରରେ ବିଧାୟକଙ୍କୁ ୨ ଲକ୍ଷ ୩୨ ହଜାର ଓ କର୍ଣ୍ଣାଟକରେ ମିଳୁଛି ୨ ଲକ୍ଷ ୫ ହଜାର । ସେହିପରି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଆଦି ରାଜ୍ୟରେ ବିଧାୟକଙ୍କ ଦରମା ଓ ଭତ୍ତା ମଧ୍ୟ ଅଧିକ ରହିଛି । କିନ୍ତୁ ଓଡ଼ିଶାରେ ବିଧାୟକଙ୍କ ମାସିକ ଦରମା ଓ ଭତ୍ତା ବାବଦରେ ୯୯ ହଜାର ଟଙ୍କା । ବିଧାନସଭା ଶୂନ୍ୟକାଳରେ ଏ ପ୍ରସଙ୍ଗ ଉଠାଇ ବିଜେପି, କଂଗ୍ରେସ ଓ ବିଜେଡି ବିଧାୟକମାନେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପୂର୍ବରୁ ୨୦୧୭ରେ ବିଧାୟକଙ୍କ ଗସ୍ତ ଖର୍ଚ୍ଚ ଓ ଦରମା ବଢିଥିଲା । ଏବେ ଦରଦାମ ବଢୁଛି । ତେଣୁ ବିଧାୟକଙ୍କ ଦରମା ଓ ଗସ୍ତ ଖର୍ଚ୍ଚ ବଢ଼ାଇବାକୁ ବିଜେପି ଦାବି କରିଛି ।

ଅନ୍ୟ ରାଜ୍ୟର ବିଧାୟକମାନେ ଅଧିକ ଦରମା ପାଉଛନ୍ତି । ହେଲେ ଓଡ଼ିଶାରେ ବିଧାୟକଙ୍କ ଦରମା ଓ ଗସ୍ତ ଖର୍ଚ୍ଚକୁ ମିଶାଇ ମୋଟ ୯୯ ହଜାର ୮ଶହ ଟଙ୍କା ରହିଛି । ତେଣୁ ଏହାକୁ ବଢ଼ାଯାଉ । ପୂର୍ବତନ ବିଧାୟକ ମାସିକ ପେନସନ ୩୦ ହଜାର ଟଙ୍କା ପାଉଛନ୍ତି । ତେଣୁ ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବଢ଼ାଇବାକୁ ଦାବି ହୋଇଛି । ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଉପରେ ବିଚାର କରିବା ଲାଗି ସରକାରଙ୍କୁ ବାଚସ୍ପତିଙ୍କ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.