କୁହନ୍ତି ବଡ଼ ପଦବୀ ପାଇବା ପରେ ଲୋକେ କାହାକୁ ପଚାରନ୍ତିନି । କିନ୍ତୁ ଏଭଳି କଥାକୁ ଭୁଲ ପ୍ରମାଣିତ କରି ଦେଖାଇଛନ୍ତି ଜଣେ ବିଧାୟକ । ଜଣେ ବିଧାୟକ ଯେଉଁ ମଣିଷପଣିଆ ଦେଖାଇଛନ୍ତି ତାହା ସତରେ ପ୍ରଶଂସନୀୟ । ତେବେ ନିଜ ସାଧାରଣ ଜୀବନଚର୍ଯ୍ୟା ଆଉ ଶାନ୍ତ ସରଳ ବ୍ୟବହାର ପାଇଁ ସବୁବେଳେ ସମସ୍ତଙ୍କର ପ୍ରିୟପାତ୍ର ହେଇପାରିଛନ୍ତି ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ । ଆଉ ଆଜି ନିଜ ମାନବିକତା ପାଇଁ ପ୍ରଶଂସିତ ହେଉଛନ୍ତି ।
ବିଧାୟକ ଗୌରୀଶଙ୍କର ରାସ୍ତାରେ ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଦେଖି ଅଟକି ଯାଇଥିଲେ । ଆଉ ସମୟ ବିଳମ୍ବ ନକରି ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନଙ୍କୁ ନିଜ ଗାଡିରେ ବସାଇ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ନବରଙ୍ଗପୁର ଥାନା ଅଧିନ ବିଜ୍ରାଗୁଡା ଛକରେ ବାଇକ୍ ଓ ଏକ ଭ୍ୟାନ ମୁହା ମୁହିଁ ଧକ୍କା ହୋଇଥିଲା । ଫଳରେ ବାଇକରେ ଥିବା ବିଜ୍ରାଗୁଡା ଗାଁର ସୁବର୍ଣ୍ଣ ହରିଜନ, ନାତି ରାଜା ହରିଜନ ଓ ନାତୁଣୀ ଦେବି ହରିଜନ ଆହତ ହୋଇଥିଲେ । ସେମାନେ ବିଜ୍ରାଗୁଡା ଠାରୁ ନବରଙ୍ଗପୁରକୁ ଆଧାର କାର୍ଡ ସଂଶୋଧନ ପାଇଁ ଯାଉଥିଲେ । ଏହି ସମୟରେ ନବରଙ୍ଗପୁର ଠାରୁ ଅଞ୍ଚଳଗୁମ୍ମା ଯାଉଥିବା ଏକ ଭ୍ୟାନ ସହ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା । କୌଣସି କାମରେ ଏହି ରାସ୍ତା ଦେଇ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଯାଉଥିବା ବେଳେ ଏଠାରେ ଦୁର୍ଘଟଣା ହୋଇଥିବା ଜାଣିବାକୁ ପାଇଥିଲେ । ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ ଓ ସମସ୍ତ ଆହତମାନଙ୍କୁ ନିଜ ଗାଡିରେ ଉଦ୍ଧାର କରି ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେବା ସହ ଚିକିତ୍ସା କରାଇଥିଲେ । ବିଧାୟକଙ୍କ ଏଇ ମାନବିକତା ପୂର୍ଣ୍ଣ କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିଧାୟକଙ୍କର ବେଶ ପ୍ରଶଂସା କରାଯାଉଛି ।
ଉଚିତ ସମୟରେ ବିଧାୟକଙ୍କ ସାହାଯ୍ୟ ସତରେ ପ୍ରଶଂସାଯୋଗ୍ୟ । ଆଜିର ବ୍ୟସ୍ତବହୁଳ ସମୟରେ କେହି କାହାକୁ ପଚାରୁନଥିବାବେଳେ ବିଧାୟକଙ୍କ ସାହଯ୍ୟକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି ।