‘ମୋ ବସ’ ଡ୍ରାଇଭର ସାବଧାନ ! ମଦ ପିଇ ବସ ଚଲାଇଲେ ଲାଇସେନ୍ସ ହେବ ରଦ୍ଦ

ଭୁବନେଶ୍ଵର : ମଦ୍ୟପାନ କରି ଗାଡ଼ି ଚଳାଉଥିବା ‘ମୋ ବସ୍’ ଡ୍ରାଇଭରଙ୍କ ବିରୋଧରେ ଆକ୍ସନ ମୋଡରେ କ୍ରୁଟ୍ । ମଦ ପିଇ ଡ୍ୟୁଟି କରୁଥିବା ଅଭିଯୋଗରେ ଜଣେ ବସ୍ ଗାଇଡ୍ ଓ କ୍ୟାପଟେନଙ୍କୁ ନିଲମ୍ବିତ କରିଛି କ୍ରୁଟ୍। ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବା କ୍ରୁଟ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ସେପଟେ ଏଣିକି ପ୍ରତିଦିନ ମଦ୍ୟପାନ ପରୀକ୍ଷଣ କରାଯିବ ଏବଂ ଧରାପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ କ୍ରୁଟ୍ କହିଛି । ମଦ୍ୟପାନ କରି ଗାଡ଼ି ଚଳାଉଥିବାବେଳେ ଧରାପଡ଼ିଥିଲେ ଡ୍ରାଇଭିଂ ଲାଇସେନ୍ସକୁ ୬ ମାସ ପାଇଁ ରଦ୍ଦ କରାଯିବ। ଏପରିକି ଅନ୍ୟ କୌଣସି ସ୍ଥାନରେ ବି ଗାଡ଼ି ଚଳାଇବାକୁ ସଂପୃକ୍ତ ଡ୍ରାଇଭରଙ୍କୁ ଅନୁମତି ମିଳିବନି ବୋଲି କହିଛି କ୍ରୁଟ୍।

ଏହା ସହିତ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ପ୍ରତି ‘ମୋ ବସ୍’ର ସ୍ପିଡ୍ ୪୦ରୁ କମ୍ ରହିବ। ସହର ଭିତରେ ୪୦ କିମି ଏବଂ ସହର ବାହାରକୁ ଗଲେ ୫୦ କିମି ରହିବ ଗାଡ଼ିର ବେଗ । ଡ୍ରାଇଭର ନିଶାପାନ କରିଛନ୍ତି କି ନାହିଁ ଗାଡ଼ିରେ ଚଢିବା ପୂର୍ବରୁ ହେବ ଯାଞ୍ଚ । ମଝିରେ ମଝିରେ ମଧ୍ୟ ଯାଞ୍ଚ ହେବ । ବେପରୁଆ ଗାଡ଼ି ଚାଳନା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ‘ମୋ ବସ୍’ ଦୁର୍ଘଟଣା ଘଟାଇବା ନେଇ ଜନଅସନ୍ତୋଷ ବଢ଼ିବାରୁ ରାଜ୍ୟ ସରକାର ସଜାଗ ହୋଇଛନ୍ତି  । ସେହିପରି ଗାଡ଼ିକୁ ଉଠିବା ପୂର୍ବରୁ ଡ୍ରାଇଭର ମଦ ପିଇଛନ୍ତି କି ନାହିଁ ଟେଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।

 

 

You might also like