ସ୍ପିଡ୍ ଉପରେ ନାହିଁ ନିୟନ୍ତ୍ରଣ, ପୁଣି ମୋ ବସ୍ ଧକ୍କାରେ ପରିବା ବ୍ୟବସାୟୀ ଆହତ

କଟକ : ଅମାନିଆ ‘ମୋ ବସ୍’ । ସ୍ପିଡ୍ ଉପରେ ନାହିଁ ନିୟନ୍ତ୍ରଣ । କେତେବେଳେ କାର୍କୁ ଧକ୍କା ଦେଉଛି ତ ଆଉ କେତେବେଳେ କାହା ଉପରେ ମାଡି ଯାଉଛି । ଲଗାତାର କିଛି ଦିନ ଧରି ରାଜଧାନୀରେ ଏକପ୍ରକାର ଆତଙ୍କ ରଚୁଛି ‘ମୋ ବସ୍’ । ଆଜି ସମାନ ଘଟଣା କଟକରେ ବି ଦେଖାଦେଇଛି । ଆଜି ସକାଳୁ ସକାଳୁ ଜଣେ ପରିବା ବ୍ୟବସାୟୀଙ୍କୁ ଧକ୍କା ଦେଇଛି ମୋ ବସ୍ । କଟକ ମଲା ଚଣ୍ଡୀଆ ଛକ ପାଖେ ଏହି ଦୁର୍ଘଟଣା ଘଟିଛି । ବସ ଚାଳକକୁ ପୋଲିସ ଥାନାକୁ ନେଇଛି । ତେବେ ଏହି ଘଟଣା ସ୍ଥାନୀୟ ଲୋକେ ମୋ ବସ୍ ଚାଳକର ବେପରୁଆ ଗାଡ଼ି ଚାଳନାକୁ ଦାୟୀ କରିଛନ୍ତି ।
ସୂଚନା ଯୋଗ୍ୟ ଗତକାଲି ମୋ ବସ୍ ଧକ୍କାରେ ୨ ଜଣ ଯୁବତୀ ଗୁରୁତର ଆହତ ହୋଇଛନ୍ତି । ଭୁବନେଶ୍ଵର ଚନ୍ଦ୍ରଶେଖରପୁର ବିଡିଏ ଛକରେ ଦୁର୍ଘଟଣା ଘଟିଥିଲା । ସେହିପରି ଫେବୃୟାରୀ ୪ରେ ଭୁବନେଶ୍ୱର ନନ୍ଦନକାନନ ଥାନା ରଘୁନାଥପୁର ଛକ ନିକଟରେ ମୋ ବସ୍ ଧକ୍କାରେ ଅଜ୍ଞେ ୧୩ ବର୍ଷ ନାବାଳିକାର ମୃତ୍ୟୁ ହୋଇଥିଲା । ଫୁଲ ତୋଳି ସାଇକେଲରେ ଫେରୁଥିବା ବେଳେ ଧକ୍କା ଦେଲା ମୋ ବସ୍ । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ ।
ସୂଚନା ଅନୁସାରେ ‘ମୋ ବସ୍’ ବାରମ୍ବାର ଏପରି ଦୁର୍ଘଟଣା ଘଟାଉଥିବା କାରଣରୁ ଏହାକୁ ଦୃଷ୍ଟିରେ ରଖି ଗାଡ଼ିର ବେଗ ୪୦ କିଲୋମିଟର ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ବେପରୁଆ ଗାଡ଼ି ଚାଳନା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ବି କହିଥିଲେ । ହେଲେ ଏହାକୁ ଫୁ କରି ଉଡାଇ ଦେଉଛନ୍ତି ଡ୍ରାଇଭର । ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ନ ହେବାରୁ ଦୁର୍ଘଟଣା ବଢିବାରେ ଲାଗିଛି । ବିଭିନ୍ନ ସ୍ଥାନରେ ‘ମୋ ବସ୍ ‘ ଦୁର୍ଘଟଣା ନିତିଦିନିଆ ଘଟଣା ପାଲଟିଗଲାଣି ।
ଆହୁରି ପଢନ୍ତୁ : ସାବଧାନ୍ ଗାଡ଼ି ଚାଳକ, ଫେବୃୟାରୀ ୧୦ରୁ ଟ୍ବିନ୍ ସିଟିରେ ହେବ କଡ଼ାକଡ଼ି ଗାଡ଼ି ଚେକିଂ