ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ: ଭୁବନେଶ୍ବର ସହରାଞ୍ଚରେ ୧୨୭ ନୂଆ ସ୍ଥାନକୁ ଗଡ଼ିବ ମୋ ବସ୍‌

ଭୁବନେଶ୍ବର(କେନ୍ୟୁଜ୍‌): ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ । ଭୁବନେଶ୍ବର ସହରାଞ୍ଚଳ ପରିବହନରେ ସାମିଲ ହେଲା ଖୋର୍ଦ୍ଧା, ଭୁବନେଶ୍ବର, ବାଲିପାଟଣା, ବାଲିଅନ୍ତା ଓ ଜଟଣୀ ଆଦି ୫ଟି ତହସିଲର ୧୨୭ଟି ଅଞ୍ଚଳ। ପରିବହନ ଅଞ୍ଚଳରେ ସାମିଲ ହୋଇଥିବାରୁ ଏହି ସବୁ ଅଞ୍ଚଳ‌ରେ ପର୍ଯ୍ୟାୟକ୍ରମେ ମୋ ବସ୍‌ ସେବା ଯୋଗାଇ ଦିଆଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି।

ଭୁବନେଶ୍ବରରେ ଥିବା କେତେକ ଅଞ୍ଚଳ ଦେଇ ମୋ ବସ୍‌ ଯାଉଛି। ଯେଉଁ ଅଞ୍ଚଳ ପାଖ ଦେଇ ମୋ ବସ୍‌ ଯାଉଛି, ସେହି ସବୁ ଅଞ୍ଚଳକୁ ବସ୍‌ ସେବା ଯୋଗାଇବା ସହଜ ହେବ। ଏଣୁ ପ୍ରଥମେ ସେହି ଅଞ୍ଚଳକୁ ଚିହ୍ନଟ କରାଯାଇ ପ୍ରାଥମିକତା ଭିତ୍ତିରେ ସେବା ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି।  ନୂଆ ତାଲିକାରେ ଭୁବନେଶ୍ବରର ସବୁଠାରୁ କମ୍‌ ୧୧ଟି ଅଞ୍ଚଳ ରହିଛି। ନୂଆ ତାଲିକାରେ ଭୁବନେଶ୍ବରର ପଥରଗାଡ଼ିଆ, କଣ୍ଟୁଣିଆ, ମରଚିଆ, ଧଉଆ, ନୂଆବନ୍ତ, ସିଙ୍ଗଡ଼ା, କେଶୁରା, ଶିଶୁପାଳଗଡ଼, କୁକୁଡ଼ାଘାଇ ପାଟଣା, ସରକାରୀ ବଡ଼କଲ୍ୟାଣପୁର ଓ ଗଙ୍ଗେଶ୍ବରପୁର ଶାସନ ପ୍ରଭୃତି ଅଞ୍ଚଳ ସାମିଲ ହୋଇଛି।

ଭୁବନେଶ୍ବର ସହରାଞ୍ଚଳ ପରିବହନରେ ସାମିଲ ହୋଇଥିବା ଅଞ୍ଚଳଗୁଡ଼ିକ ମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ ୪୮ଟି ଥିବା ବେ‌ଳେ ବାଲିପାଟଣାରେ ୩୮ଟି ରହିଛି। ବାଲିଅନ୍ତାର ୧୫ ରହିଥିବା ବେଳେ ଜଟଣୀର ୧୫ଟି ଅଞ୍ଚଳ ରହିଛି। ଭୁବନେଶ୍ବରରେ ପୂର୍ବରୁ ଅନେକ ଅଞ୍ଚଳ ଏଥିରେ ସାମିଲ ହେବା ସହ ମୋ ବସ୍‌ ମଧ୍ୟ ଏହି ସବୁ ଅଞ୍ଚଳକୁ ଚାଲିଛି।

Leave A Reply

Your email address will not be published.