ନୟାଗଡ଼: ଫୋନ ଚୋରିି ହେଲେ ସମସ୍ତେ ଭାବନ୍ତି ଫୋନ ଆଉ ମିଳିବ ନାହିଁ । କିନ୍ତୁ ଏକଥାକୁ ଭୁଲ ପ୍ରମାଣ କରି ଦେଖାଇଛି ନୟାଗଡ଼ ଜିଲ୍ଲା ପୋଲିସ । ନୟାଗଡ଼ ପୋଲିସ ଆରମ୍ଭ କରିଛି ଏକ ବଡ଼ ଅଭିଯାନ । ୨୦୦ ରୁ ଉର୍ଦ୍ଧ୍ୱ ସ୍ମାର୍ଟ ମୋବାଇଲ ଫୋନ ଉଦ୍ଧାର ହୋଇଛି, ଯାହାକୁ ନେଇ ଏବେ ଚର୍ଚ୍ଚାରେ ନୟାଗଡ଼ ଜିଲ୍ଲା ପୋଲିସ ।
ଦୀର୍ଘ ବର୍ଷ ହେବ ଚୋରି ଏବଂ ହଜିଯାଇଥିବା ମୋବାଇଲକୁ ଖୋଜି ଆଣିବାକୁ ସ୍ପେସାଲ ଡ୍ରାଇଭ ଆରମ୍ଭ କରିଛନ୍ତି ନୟାଗଡ଼ ଏସପି ରାହୁଲ ଜୈନ । ଥାନାକୁ ନଯାଇ ଘରେ ବସି ହ୍ଵାଟ୍ସଆପ ଯୋଗେ ଲୋକେ ସୂଚନା ଦେଇଥିଲେ, ଏହା ପରେ ପ୍ରାୟ ୨୦୦ ଦାମୀ ଫୋନ ରାଜ୍ୟ ତଥା ରାଜ୍ୟ ବାହାରୁ ଖୋଜି ଆଣି ମାଲିକଙ୍କୁ ଫେରାଇବାକୁ ଆରମ୍ଭ ହୋଇଛି ଅଭିଯାନ। ଏହି ଅଭିଯାନକୁ ଉଦଘାଟନ କରିଛନ୍ତି ବାଚସ୍ପତି । ଏହା ସହ କଣ୍ଟିଲୋ ନୀଳମାଧବ ମନ୍ଦିରକୁ ଏକ ବାଇକ ଭ୍ୟାନ୍ ଏବଂ ନୟାଗଡ଼ରେ କଲେଜ ଛାତ୍ରୀଙ୍କ ସୁରକ୍ଷା ପାଇଁ ଆଣ୍ଟି ରାଗିଂ ମହିଳା ସ୍କ୍ଵାଡ ଗଠନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବାଚସ୍ପତି ସୁରମା ପାଢ଼ି, ଅଭିନେତା ସବ୍ୟସାଚି, ସଂଗୀତ ନିର୍ଦେଶକ ପ୍ରେମାନନ୍ଦ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ ସମେତ ନୟାଗଡ଼ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।
ନୟାଗଡ଼ ପୋଲିସର ଏହି ପଦକ୍ଷେପ ଦ୍ୱାରା ଅନେକ ଲୋକ ସେମାନଙ୍କ ଫୋନ ଫେରି ପାଇଛନ୍ତି । ଗରିବ ଲୋକଙ୍କ ଫୋନ ହଜିବା ପରେ ସେମାନେ ନୂଆ ଫୋନ କିଣିବାକୁ ସକ୍ଷମ ନଥିଲେ । କିନ୍ତୁ ନୟାଗଡ଼ ପୋଲିସ ଚୋରି ଫୋନକୁ ଖୋଜି ଆଣିଛି । ସେହିପରି ବୟସ୍କ ଲୋକମାନେ ମୋବାଇଲ ଚୋରିର ଅଭିଯୋଗ ପାଇଁ ଯେପରି ଥାନାକୁ ନଯାଇ ହ୍ଵାଟସ୍ ଆପ୍ ଜରିଆରେ ଅଭିଯୋଗ କରିବେ ସେଥିପାଇଁ ବ୍ୟବସ୍ଥା କରାଯାଇଛି । ପୋଲିସର ଏଭଳି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି ।