ଅଗ୍ନିଶମ ସୁରକ୍ଷା ସପ୍ତାହ ଅବସରରେ ମକ୍ ଡ୍ରିଲ, ବିପଦକୁ ସାମନା କରିବା ପାଇଁ ଛାତ୍ରଛାତ୍ରୀଙ୍କୁ କରାଯାଉଛି ସଚେତନ

ଯାଜପୁର: ଅଗ୍ନିକାଣ୍ଡ ସମୟରେ ଲୋକଙ୍କୁ ବିପଦରୁ ରକ୍ଷା କରିବା, ସେମାନଙ୍କୁ ସୁରକ୍ଷା ଯୋଗାଇବା, ଧନ ଜୀବନକୁ ସୁରକ୍ଷିତ ରଖିବା ହେଉଛି ଅଗ୍ନିଶମ ବାହିନୀର ପ୍ରାଥମିକତା । ଛାତ୍ରଛାତ୍ରୀମାନେ ସଚେତନ ହେଲେ ଆଗାମୀ ସମୟରେ ଯେ କୌଣସି ଅଘଟଣ ଘଟିଲେ ସେମାନଙ୍କ ଜରିଆରେ ଧନ ଜୀବନ ସୁରକ୍ଷିତ ରହିପାରିବ । ଏନେଇ ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଛାତ୍ରଛାତ୍ରୀମାନେ ମଧ୍ୟ ବେଶ ସାହସର ସହ ପ୍ରଶିକ୍ଷଣ ନେଇ ଆଗକୁ କିପରି ସାମନା କରିବେ ସେନେଇ ସଚେତନ ହେଉଛନ୍ତି ।
ରାଜ୍ୟବ୍ୟାପୀ ଚାଲିଛି ଜାତୀୟ ଅଗ୍ନିଶମ ସୁରକ୍ଷା ସପ୍ତାହ। ଅଗ୍ନିଶମ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ କରାଯାଉଛି ମକ ଡ୍ରିଲ୍ । ବିଶେଷ କରି ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଯାଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଷ୍ଟି କରାଯାଉଛି ସଚେତନତା । ଅପ୍ରେଲ ୧୪ରୁ ଆରମ୍ଭ ହୋଇଛି ଜାତୀୟ ଅଗ୍ନିଶମ ସୁରକ୍ଷା ସପ୍ତାହ । ଅଗ୍ନିଶମ ବାହିନୀ ପକ୍ଷରୁ ବିଭିନ୍ନ ସ୍ଥାନରେ ପାଳନ କରାଯାଉଛି ସୁରକ୍ଷା ସପ୍ତାହ । ସମାନ ଭାବେ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପକ୍ଷରୁ ଅଗ୍ନିଶମ ସୁରକ୍ଷା ସପ୍ତାହ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବିଭିନ୍ନ ସ୍ଥାନରେ ମକଡ୍ରିଲ କରାଯାଉଛି।
ବିଶେଷ କରି ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ଅଗ୍ନିଶମ ଅଧିକାରୀ ଓ କର୍ମଚାରୀମାନେ ପହଞ୍ଚି ଅଗ୍ନିଶମ ସୁରକ୍ଷା ନେଇ ସଚେତନ କରୁଛନ୍ତି । ଘରେ ରୋଷେଇ ସମୟରେ ଗ୍ୟାସରୁ ଅଗ୍ନି ସଂଯୋଗ ହେଲେ ତାକୁ କିପରି ବିଛିନ୍ନ କରିହେବ, ହଠାତ ନିଆଁ ଲାଗିଗଲେ କିପରି ନିଆଁକୁ ଆୟତ୍ତ କରିହେବ ଏହି ସବୁକୁ ନେଇ ମକ୍ ଡ୍ରିଲ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଉଛି । ୧୯୪୪ ମସିହାରେ ବମ୍ବେ ଠାରେ ହୋଇଥିବା ଅଘଟଣରେ ସହିଦ ଯବାନଙ୍କୁ ମନେ ରଖିବା ସହ ଘଟଣାର ପୁନରାବୃତ୍ତି ଯେପରି ନଘଟିବ ଏହି ସୁରକ୍ଷା ସପ୍ତାହର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଅଧିକାରୀ । ଗତ ୧୪ତାରିଖରୁ ଆରମ୍ଭ ହୋଇଥିବା ଏହି ଜାତୀୟ ଅଗ୍ନିଶମ ସୁରକ୍ଷା ସପ୍ତାହ ଆସନ୍ତା ୨୦ତାରିଖରେ ଉଦଯାପିତ ହେବ।
Also Read:ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ମକ୍ ଡ୍ରିଲ୍, ନିୟୋଜିତ ହେବେ ୮୦ ପ୍ଲାଟୁନ ଓ ୧୦ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ