ଭୁବନେଶ୍ବର (କେନ୍ୟୁଜ୍) : ପୁରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ଲଢ଼ିବେ । ପୁଣି ଏହି ପ୍ରସଙ୍ଗ ଏବେ ଚର୍ଚ୍ଚାରେ । ଏ ନେଇ ଭାରତୀୟ ଜନତା ପାର୍ଟିର ରାଜ୍ୟ ଶାଖା ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ତେବେ ସେ ପୁରୀରୁ ୨୦୧୯ ନିର୍ବାଚନରେ ଲଢ଼ିବା ନଲଢ଼ିବା ସମ୍ପର୍କରେ ନିଷ୍ପତ୍ତି ନିଜେ ମୋଦି ଏବଂ କେନ୍ଦ୍ରୀୟ କମିଟି ନେବ ବୋଲି ସୂଚନା ମିଳିଛି ।
ମୋଦି ୨୦୧୪ ନିର୍ବାଚନରେ ବାରାଣସୀ ଲୋକସଭା ଆସନରୁ ଜିତି ପ୍ରଧାନମନ୍ତ୍ରୀ ହୋଇଥିଲେ । ଏହି ନିର୍ବାଚନ ମଣ୍ଡଳୀକୁ ଗୁରୁତ୍ବ ଦେଇ ସେ ନିୟମିତ ଭାବେ ଗସ୍ତ କରୁଛନ୍ତି । ବାରାଣସୀ ଭଳି ପୁରୀ ଏକ ଧର୍ମକ୍ଷେତ୍ର । ମୋଦି ମଧ୍ୟ ଅନେକଥର ପୁରୀ ଆସିଛନ୍ତି ଏବଂ ତାଙ୍କର ଏକ ପ୍ରିୟ ଜାଗା ବୋଲି କହିଛନ୍ତି । ଏମିତିକି ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ମଧ୍ୟ ଖୁବ୍ ଭକ୍ତି କରନ୍ତି ମୋଦି । କେବଳ ଏବେ ନୁହେଁ ପୂର୍ବରୁ ବି ପୁରୀରୁ ସେ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ରାଜନୈତିକ ମହଲକୁ ସରଗରମ କରିଥିଲା ।
ସେହିଭଳି ରାଜନୈତିକ ଦିଗରୁ ବିଚାର କଲେ ଓଡ଼ିଶାରେ ବିଜେପି ଆଗାମୀ ନିର୍ବାଚନରେ ୧୨୦ଟି ବିଧାନସଭା ଆସନ ଏବଂ ୧୩ଟି ଲୋକସଭା ଆସନ ଜିତିବାକୁ ଲକ୍ଷ୍ୟ ରଖିଛି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏ ସମ୍ପର୍କରେ ଜୋର୍ ଦେଇ କହିଛନ୍ତି । ତେଣୁ ମୋଦି ଯଦି ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହୁଅନ୍ତି ତେବେ ରାଜ୍ୟ ବିଜେପି ପାଇଁ ବହୁତ ଫାଇଦା ହେବ । ଅବଶ୍ୟ ନିର୍ଦ୍ଦିଷ୍ଟ ଭାବେ ଏ ସମ୍ପର୍କରେ ବିଜେପି ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ । ତେଣୁ କେବଳ ଚାଲିଛି ଚର୍ଚ୍ଚା ।
ଅନ୍ୟପକ୍ଷରେ ଶାସକ ବିଜେଡି ଓ କଂଗ୍ରେସ କହିଛନ୍ତି, ମୋଦିଙ୍କ ଉପସ୍ଥିତି ରାୟ ରାଜନୀତିରେ ବିଶେଷ କିଛି ଫରକ ଆଣିବ ନାହିଁ ।