‘ମନ କି ବାତ୍’ରେ ଦିବଂଗତ ଓଡ଼ିଆ ଆଇଏଏସ୍ ଅଧିକାରୀ ଗୁରୁପ୍ରସାଦ ମହାପାତ୍ରଙ୍କୁ ଝୁରିଲେ ମୋଦି

ଦିବଂଗତ ଓଡ଼ିଆ ଆଇଏଏସ୍ ଅଧିକାରୀ ଗୁରୁପ୍ରସାଦ ମହାପାତ୍ରଙ୍କୁ ଆଜି ପୁଣି ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତ ସପ୍ତାହରେ କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ସ୍ୱର୍ଗତ ମହାପାତ୍ରଙ୍କୁ ‘ମନ କି ବାତ୍’ ରେଡିଓ କାର୍ଯ୍ୟକ୍ରମରେ ମୋଦି ମନେ ପକାଇଛନ୍ତି।

ମୋଦି କହିଛନ୍ତି, ଦେଶ ଜଣେ କର୍ମବୀରଙ୍କୁ ହରାଇଲା। କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ବି ଶ୍ରୀ ମହାପାତ୍ର ନିଜ ସରକାରୀ କର୍ତ୍ତବ୍ୟ ଜାରି ରଖିଥିଲେ। ଦେଶର ବିଭିନ୍ନ ଅଞ୍ଚଳରେ କିପରି ଅକ୍ସିଜେନ ପହଞ୍ଚିବ ସେ ତାହାର ବ୍ୟବସ୍ଥା କରୁଥିଲେ। ନିଜ ଅସୁସ୍ଥତା ବଢିଚାଲିଥିଲେ ବି ସେ ଅକ୍ଳାନ୍ତ ପରିଶ୍ରମ କରିଚାଲିଥିଲେ। ଏପରିକି ବିଶ୍ରାମ ନେବାକୁ କୁହାଯିବା ପରେ ବି ସେ ଭିଡିଓ କନଫରେନ୍ସିଂ ବୈଠକରେ ଯୋଗ ଦେଇଥିଲେ। ନିଜର ଦେଶବାସୀଙ୍କ ପାଇଁ ଏପରି ଥିଲା ତାଙ୍କର ନିଷ୍ଠା। କରୋନା ତାଙ୍କୁ ଆମଠାରୁ ଛଡ଼େଇ ନେଲା ବୋଲି ମୋଦି ଭାବିବିହ୍ଵଳ ହୋଇ କହିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ୧୯ ତାରିଖରେ କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ୧୯୮୬ ଗୁଜୁରାଟ କ୍ୟାଡର ଆଇଏଏସ୍ ଶ୍ରୀ ମହାପାତ୍ର ବାଣିଜ୍ୟ ମନ୍ତ୍ରାଳୟ ଅଧୀନସ୍ଥ ଡିପିଆଇଆଇଟିର ସଚିବ ଭାବେ କାର୍ଯ୍ୟରତ ଥିଲେ। ଏହା ପୂର୍ବରୁ ସେ ଭାରତୀୟ ବିମାନପତ୍ତନ ପ୍ରାଧିକରଣର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶାର ବିଶିଷ୍ଟ ଲେଖକ ମହାପାତ୍ର ନୀଳମଣି ସାହୁଙ୍କ ପୁଅ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.