ଆଜି ପୁଣି ଓଡ଼ିଶାରେ ପଲିଟିକାଲ ସୋ , ବଲାଙ୍ଗିର ଆସୁଛନ୍ତି ମୋଦି

ବଲାଙ୍ଗିର(କେନ୍ୟୁଜ୍) : ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବଲାଙ୍ଗିରରେ ରହିଛି ସରକାରୀ ଓ ଦଳୀୟ କାର‌୍ୟ୍ୟକ୍ରମ। ମୋଟ୍‌ ୧୫ଶହ ୪୫ କୋଟି ଟଙ୍କାର ପ୍ୟାକେଜ ନେଇ ଆସୁଛନ୍ତି ପ୍ରଧାନମନ୍ତ୍ରୀ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଝାରସୁଗୁଡ଼ାରେ ମଲଟି ମଡେଲ ଲଜିଷ୍ଟିକ ପାର୍କ, ସମ୍ବଲପୁର-ଅନୁଗୁଳ ରେଳ ଲାଇନ ବିଦ୍ୟୁତୀକରଣ ପ୍ରକଳ୍ପର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ। ବଲାଙ୍ଗିର-ଖୋର୍ଦ୍ଧା ଲାଇନରେ ବଲାଙ୍ଗୀର ପଟୁ ରେଳ ଚାଲିବ। ବଲାଙ୍ଗିରରୁ ବିଛୁପାଲି ଯାଏ ରେଳ ଲାଇନ ଓ ବିିଛୁପାଲି ଷ୍ଟେସନ ଉଦଘାଟନ ହେବ । ସେହିପରି ୬ଟି ପୋଷ୍ଟ ଅଫିସରେ ପାସପୋର୍ଟ କେନ୍ଦ୍ରର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ବଲାଙ୍ଗୀର, ଫୁଲବାଣୀ, ଜଗତସିଂହପୁର, ବରଗଡ଼, ପୁରୀ ଓ କେନ୍ଦ୍ରାପଡ଼ାରୁ ପାସପୋର୍ଟ ସେବା କେନ୍ଦ୍ର ଉଦଘାଟନ ହେବ। ଦିନ ସାଢ଼େ ୯ଟାରେ ସେ ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ାରେ ପହଞ୍ଚିବେ। ସେଠାରୁ ବଲାଙ୍ଗିର ଆସିବେ । ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କର ମୋଟ୍‌ ୪ ଘଣ୍ଟା ୧୦ ମିନିଟର କାର‌୍ୟ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପାଇଁ ସୁରକ୍ଷା ବଳୟ ଘେରରେ ବଲାଙ୍ଗିର । ସହରରେ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ସେହିପରି ସ୍ୱତନ୍ତ୍ର ଟ୍ରାଫିକ କଟକଣା ଲାଗିଛି।