ମଣିଷ ପଶୁର ଅନାବିଳ ପ୍ରେମ: ବୃଦ୍ଧଙ୍କ କୋକେଇ ପାଖରେ ବସି ଲୁହ ଗଡାଇଲା ମାଙ୍କଡ଼, ଭାଇରାଲ ହେଉଛି ଭିଡିଓ

ମଣିଷ ପାଇଁ କାନ୍ଦୁଛି ମାଙ୍କଡ଼। ମୃତଦେହକୁ ଜାବୁଡି ଧରି କାନ୍ଦୁଛି। କଥା ସିନା କହିପାରୁନି ହେଲେ ନିଜ ଦୁଃଖକୁ ଲୁହ ମାଧ୍ୟମରେ ଗଡ଼ାଇ ଚାଲିଛି। ମଣିଷ ପଶୁର ଏପରି ଅନାବିଳ ପ୍ରେମର ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ସୀମାନ୍ତ ବର୍ତ୍ତି କୋଳାପଥରା ଗାଁରେ।

ବାରିପଦା(କେନ୍ୟୁଜ୍):କେବଳ ମଣିଷ କାନ୍ଦେନି । ପଶୁ ଆଖିରୁ ବି ଲୁହ ବହେ । ତାର ବି ଭାବପ୍ରବଣତା ଓ ଆବେଗ ଅଛି । ଏ ଦୃଶ୍ୟ ହେଉଛି ତାର ପ୍ରମାଣ । ମଣିଷ ପାଇଁ କାନ୍ଦୁଛି ମାଙ୍କଡ଼ଟିଏ। ମୃତଦେହକୁ ଜାବୁଡି ଧରି କାନ୍ଦୁଛି। କଥା ସିନା କହିପାରୁନି ହେଲେ ନିଜ ଦୁଃଖକୁ ଲୁହରେ ବୟାନ୍‌ କରୁଛି । ମଣିଷ ପାଇଁ ଗୋଟିଏ କଥା କହି ପାରୁନଥିବା ପଶୁର ଏପରି ଅନାବିଳ ପ୍ରେମ ନିଶ୍ଚୟ ବିରଳ ।

ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ସୀମାନ୍ତରେ ଥିବା କୋଳାପଥରା ଗାଁରେ ଏଇ ଘଟଣା ଦେଖିବାକୁ ମିଳିଛି। ଗାଁର ଗୌରାଙ୍ଗ ପାଲଙ୍କ ମୃତ୍ୟୁ ପରେ ଯେତେବେଳେ ତାଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଚାଲିଲା, ହଠାତ୍‌ କୁଆଡ଼ୁ ଏଇ ମାଙ୍କଡ଼ଟି ପଳାଇ ଆସି ମୃତଦେହ ପାଖରେ ବସି ରହିଲା। ଯେତେ ଘଉଡେଇଲେ ମଧ୍ୟ ଛାଡି ଯିବାକୁ ନାରାଜ।

monkey cry

କୋକେଇ ପାଖରେ ବସି ରହିଲା । ଯେମିତି ଗୌରାଙ୍ଗଙ୍କ ସହିତ ତାର ଅନେକ ଦିନର ସମ୍ପର୍କ । ତାକୁ କେହି ଘଉଡ଼ାଇବାକୁ ଚେଷ୍ଟା କଲେ ସେ ରାଗି ଯାଉଥିଲା । ଆକ୍ରମଣ ବି କରୁଥିଲା । ମୃତଦେହକୁ ଛାଡ଼ି ଯିବା ପାଇଁ ରାଜି ନଥିଲା । ଘର ବାହାରେ କୋକେଇ ପାଖରେ ଜଗି ରହିଥିଲା ମାଙ୍କଡ଼। ଏପରିକି ମଶାଣି ପର୍ଯ୍ୟନ୍ତ ମୃତଦେହ ସତ୍କାର ପାଇଁ ଚାଲି ଚାଲି ଯାଇଥିଲା। ଆଉ ଜୁଇ ଜଳିବା ସାରିବା ପର୍ଯ୍ୟନ୍ତ ମଶାଣିରେ ବସି ରହିଥିଲା। ଏ ଘଟଣାରେ ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ ।

ମୃତ ଗୌରାଙ୍ଗଙ୍କ ଝିଅ ମୋବାଇଲ୍‌ରେ ଘଟଣାର ରେକର୍ଡ଼ିଂ କରିଥିଲେ । ସେହ ଭିଡିଓ ଏବେ ଭାଇରାଲ ହେବାରେ ଲଗିଛି। ତେବେ ମାଙ୍କଡ଼ଟି କାହାରି ପୋଷା ନଥିଲା କି ଲୋକେ ତାକୁ ଗାଁରେ ଆଗରୁ କେବେ ଦେଖି ନଥିଲେ । ସେ କେଉଁଠୁ ଆସିଲା ଓ କାହିଁକି ଗୌରାଙ୍ଗଙ୍କ ମୃତଦେହ ପାଖରେ ଏମିତି ବସି ରହିଲା କେହି ବି ବୁଝି ପାରୁ ନାହାନ୍ତି । ଲୋକେ କଥା ହେଉଛନ୍ତି, ବୋଧହୁଏ ଇଏ ପୂର୍ବ ଜନ୍ମର ସମ୍ପର୍କ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.