ଚାଷୀଙ୍କୁ ଆଶ୍ବସ୍ତି, ଏଥର ସ୍ବାଭାବିକ ରହିବ ମୌସୁମୀ ବର୍ଷା

ଭୁବନେଶ୍ୱର: ଚାଷୀଙ୍କ ପାଇଁ ଖୁସି ଖବର । ଏଥର ସ୍ବାଭାବିକ ରହିବ ମୌସୁମୀ । ସମୁଦ୍ର ଓ ବାୟୁମଣ୍ଡଳର ସ୍ଥିତିରୁ ବିଶ୍ବର ପ୍ରମୁଖ ପାଣିପାଗ ସଂସ୍ଥାଗୁଡ଼ିକ ସଂଗ୍ରହ କରିଥିବା ତଥ୍ୟ ଅନୁଯାୟୀ ଏଭଳି ଆକଳନ କରାଯାଇଛି । ତେଣୁ ଚାଷୀମାନେ ସେହି ଅନୁସାରେ ପ୍ରସ୍ତୁତ ହେବାକୁ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳନ କହିଛନ୍ତି । ବିଭିନ୍ନ ମଡେଲ୍କୁ ଅନୁଧ୍ୟାନ କରି ପ୍ରଫେସର ପଶୁପାଳକ କହିଛନ୍ତି ଯେ ଏଥର ମୌସୁମୀ ପର୍ଯ୍ୟନ୍ତ ଏଲ୍-ନିନୋ ଆସିବ ନାହିଁ । ତେଣୁ ଜୁନ୍ ମାସରେ ସ୍ବାଭାବିକ ବର୍ଷା ହେବ। ସାଧାରଣତଃ ଏଲ୍-ନିନୋ ସମୟରେ ମୌସୁମୀ ବର୍ଷା କମିଥାଏ । ମୌସୁମୀକୁ ପ୍ରଭାବିତ କରୁଥିବା ଦ୍ବିତୀୟ କାରଣ ହେଉଛି ଇଣ୍ଡିଆନ୍ ଓସେନ୍ ଡାଇପୋଲ୍(ଆଇଓଡି)। ଆଇଇଡି ପଜେଟିଭ୍ ରହିଲେ ମୌସୁମୀ ବର୍ଷା ଭଲ ହୋଇଥାଏ । ଏଥର ଜୁନ୍ ପର୍ଯ୍ୟନ୍ତ ଆଇଇଡି ପଜିଟିଭ୍ ରହିବ । ଜୁଲାଇଠାରୁ ନେଗେଟିଭ୍ ହେବାକୁ ଥିବାରୁ ମୌସୁମୀରେ ଏହାର ପ୍ରଭାବ ପଡ଼ିବ । ଏପ୍ରିଲ ମାସରେ ରାଜ୍ୟରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ । ମେ’ ଓ ଜୁନ୍ରେ ସ୍ବାଭାବିକ ଏବଂ ଜୁଲାଇରେ ସ୍ବାଭାବିକଠାରୁ କମ୍ ବର୍ଷା ହୋଇପାରେ ବୋଲି ପ୍ରାଥମିକ ଆକଳନରୁ ଜଣାପଡ଼ିଛି ।
ସେହିପରି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟରେ ପୂର୍ବାନୁମାନ, ଲଙ୍ଗ ପିରିୟଡ ଆଭେରେଜ ବା ଏଲପିଏରେ ମୌସୁମୀ ବର୍ଷା ୧୦୩ ପ୍ରତିଶତ ରହିପାରେ । ଜୁନରୁ ସେପ୍ଟେମ୍ବର ମଧ୍ୟରେ ଏଲପିଏର ୮୬୮.୬ ମିଲିମିଟର ବର୍ଷା ହେବ । ସ୍କାଏମେଟର ଆକଳନ ଅନୁଯାୟୀ, ଦେଶର ପଶ୍ଚିମ ଓ ଦକ୍ଷିଣ ଭାଗରେ ଭଲ ମୌସୁମୀ ବର୍ଷା ହେବ । ସେହିପରି ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ବୃଷ୍ଟିଛାୟା ଅଞ୍ଚଳରେ ଯଥେଷ୍ଟ ବର୍ଷାର ସମ୍ଭାବନା ରହିଛି । କେରଳ, ପଶ୍ଚିମଘାଟ, କର୍ଣ୍ଣାଟକ ଉପକୂଳ ଓ ଗୋଆରେ ଅତ୍ୟଧିକ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ମୌସୁମୀ ଉପରେ ଏଲନିନୋର ପ୍ରଭାବ ରହିବ ନାହିଁ ବୋଲି କୁହାଯାଇଛି ।
ଆହୁରି ପଢ଼ନ୍ତୁ : ଆଜିଠୁ ତିନିଦିନ କାଳବୈଶାଖୀ, ବର୍ଷା ପାଇଁ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ