ଆସନ୍ତା ୪ଦିନ ଯାଏ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର(କେନ୍ୟୁଜ୍): ସାମାନ୍ୟ କମିଛି ତାତି । କିନ୍ତୁ ଗରମ ଓ ଗୁଳୁଗୁଳିରୁ ନିସ୍ତାର ନାହିଁ। ଆସନ୍ତା ୪ଦିନ ଯାଏ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରଚଣ୍ଡ ଗୁଳୁଗୁଳି ଜାରି ରହିବ। ଉଷ୍ମ ଓ ଆଦ୍ର ବାୟୁ ପ୍ରଭାବ ଫଳରେ ଗୁଳୁଗୁଳି ଜାରି ରହିବା ନେଇ ଚେତାବନୀ ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।
ଗୁଳୁଗୁଳି ପାଇଁ ଆଜି ୭ ଜିଲ୍ଲା ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ଗଜପତି ଏବଂ ଆସନ୍ତାକାଲି ୬ ଜିଲ୍ଲା ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ରହିଛି । ପରବର୍ତ୍ତୀ ୩ଦିନ ଯାଏ ଏଭଳି ସ୍ଥିତି ଲାଗି ରହିବ । ଆସନ୍ତା ୪ଦିନ ଯାଏ ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷାର ମଧ୍ୟ ସମ୍ଭାବନା ରହିଛି ।
ଆଗାମୀ ୨୪ ଘଣ୍ଟା ଯାଏ ରାଜ୍ଯରେ ପାଗ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଏହା ପରେ କିନ୍ତୁ କମିବ ତାତି । ୨୪ ଘଣ୍ଟା ପରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବା ସମ୍ଭାବନା ରହିଛି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଉପକୂଳ ଆନ୍ଧ୍ର ପ୍ରଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ରହିଛି । କିନ୍ତୁ ଏହା ଘନୀଭୂତ ହେବା ନେଇ କୌଣସି ଲକ୍ଷଣ ନଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ସେପଟେ ରାଜ୍ଯରେ ସକ୍ରିୟ ହେବେ ମୌସୁମୀ ବାୟୁ। ମାଲକାନଗିରି ପ୍ରବେଶ କରି ନିଷ୍କ୍ରିୟ ରହିଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗକୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।