ମଙ୍ଗଳବାରଠାରୁ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ବର : ସରଗରମ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଆଗକୁ ନିର୍ବାଚନ ଥିବାରୁ ଏହି ଅଧିବେଶନ ଉଭୟ ଶାସକ ଓ ବିରୋଧୀ ଦଳଙ୍କ ପାଇଁ ଖୁବ ଗୁରୁତ୍ୱପୁର୍ଣ୍ଣ । ଆସନ୍ତାକାଲି ବିରୋଧୀ ଓ ବିଜେଡି ପକ୍ଷରୁ ପୃଥକ ପୃଥକ ଭାବେ ବିଧାୟକ ଦଳ ବୈଠକ ବସି ପ୍ରସ୍ତୁତ ହେବ ରଣନୀତି । କଂଗ୍ରେସ ଚାଷୀ ସମସ୍ୟା, ଲୋକାୟୁକ୍ତ ନିଯୁକ୍ତି, ପିସି କାରବାର, ବେକାରୀ ସମସ୍ୟା ଓ ପିଇବା ପାଣି ଆଦି ପ୍ରସଙ୍ଗ ଉଠାଇବାର ସମ୍ଭାବନା ରହିଛି । ସେହିପରି ବିଜେପି ଚାଷୀ ସମସ୍ୟା, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଆଦି ପ୍ରସଂଗ ଉଠାଇ ଗୃହରେ ସରକାରୀ ଦଳକୁ ଘେରିବ ।
ସେପଟେ ଉଭୟ କଂଗ୍ରେସ ଓ ବିଜେପିକୁ ମୁକାବିଲା କରିବାକୁ ପ୍ରସ୍ତୁତ ବିଜେଡି । ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଂଗରେ ଦଳ ଆଲୋଚନାକୁ ସ୍ୱାଗତ କରିବ । ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧିକୁ ଦଳ ପ୍ରସଙ୍ଗ କରି କେନ୍ଦ୍ରକୁ ଆଟାକ କରିବ ।
ଆସନ୍ତା ୨୦ ତାରିଖ ପର୍ୟ୍ୟନ୍ତ ଚାଲିବାକୁ ଥିବା ମୌସୁମୀ ଅଧିବେଶନରେ ରହିଛି ୧୧ଟି କାଯ୍ୟର୍ଦିବସ । ସେଭିତରୁ ୯ଟି ସରକାରୀ ଓ ୨ଟି ବେସରକାରୀ କାଯ୍ୟର୍ଦିବସ । ୪ ତାରିଖରେ ଅତିରିକ୍ତ ବଜେଟ ଉପସ୍ଥାପନ ହେବ । ୧୦ରୁ ୧୨ ତାରିଖ ତିନି ଦିନ ଧରି ଖର୍ଚ୍ଚ ଦାବି ଉପରେ ଆଲୋଚନା କରାଯିବ । ସେପ୍ଟେମ୍ବର ୧୭ରେ ବ୍ୟୟ ମଂଜୁରୀ ବିଲ୍ ଉପସ୍ଥାପନ ହେବ ।