ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଅସହ୍ୟ ତାତି ଜାରି ରହିଛି । ଦିନରେ ତାତି ରାତିରେ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି । ଏହାରି ଭିତରେ ଓଡିଶା ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଆସନ୍ତା ୩ ରୁ ୪ ଦିନ ମଧ୍ୟରେ ଓଡିଶା ଛୁଇଁବ ଦକ୍ଷିଣ – ପଶ୍ଚିମ ମୌସୁମୀ ବାୟୁ । ସାଧାରଣତଃ ମୌସୁମୀ ବାୟୁ କେରଳ ଛୁଇଁବାର ୧୦ ଦିନପରେ ଓଡିଶା ଛୁଇଁଥାଏ । ତେବେ ଆଇଏମଡି ଯେଉଁଭଳି ଆକଳନ କରିଛି ତାକୁ ଦେଖିଲେ ୨ ଦିନ ପୂର୍ବରୁ ଓଡିଶାରେ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ରହିଛି । ଆସନ୍ତା ୮ ତାରିଖ ସୁଦ୍ଧା ଓଡିଶାରେ ପ୍ରବେଶ କରିପାରେ ମୌସୁମୀ । ୬ ତାରିଖରେ ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ଅନ୍ୟପଟେ ଗତକାଲି ରାଜ୍ୟର ୪ ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ଆସନ୍ତା ୨୪ ଘଣ୍ଟା ଭିତରେ ବଲାଙ୍ଗୀର ,ନୂଆପଡା,ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ ଓ ବରଗଡ ରେ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।