ଓଡ଼ିଶାରେ ଦୁର୍ବଳ ପଡ଼ିଛି ମୌସୁମୀ, ୟେଲୋ ଜୋନରେ ଓଡ଼ିଶା

କେନ୍ୟୁଜ୍(ବ୍ୟୁରୋ):ଅଗଷ୍ଟରେ ଏବର୍ଷ ଓଡ଼ିଶାରେ ଭଲ ବର୍ଷା ନାହିଁ । ନିଅଣ୍ଟିଆ ସ୍ଥିତି ଦେଖାଦେବ । ସ୍ୱାଭାବିକଠାରୁ କମ୍‌ ରହିବ ବର୍ଷା ପରିମାଣ । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ପଶ୍ଚିମ ଉପକୂଳ ଭାରତରେ ସ୍ୱାଭାବିକଠୁ କମ୍‌ ବର୍ଷା ହେବ । ସେହିପରି ଓ଼ଡ଼ିଶା ସମେତ ପୂର୍ବ-କେନ୍ଦ୍ରୀୟ, ପୂର୍ବ ଓ ଉତ୍ତର-ପୂର୍ବ ଭାରତର ଅଧିକାଂଶ ଅଞ୍ଚଳରେ ବର୍ଷା ପରିମାଣ ସ୍ୱାଭାବିକଠାରୁ କମ୍‌ ରହିବ ବୋଲି କହିଛି ପାଣିପାଗ ବିଭାଗ । ୟେଲୋ ଜୋନରେ ଆସୁଛି ଓଡ଼ିଶା । ତେବେ ଚଳିତ ମାସରେ ସାରା ଦେଶରେ ସ୍ୱାଭାବିକ ହେବ ବର୍ଷା । ଲଞ୍ଚ ପିରିୟଡ ଆଭରେଜରେ ବର୍ଷା ପରିମାଣ ୯୪ରୁ ୧୦୪ ପ୍ରତିଶତ ଭିତରେ ରହିବ । ଦକ୍ଷିଣ-ପୂର୍ବ ଭାରତ, ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ଭାରତରେ ସ୍ୱାଭାବିକ ବର୍ଷା ସମ୍ଭାବନା ରହିଛି ।

ଓଡ଼ିଶାରେ ଦୁର୍ବଳ ପଡ଼ିଛି ମୌସୁମୀ । ଫଳରେ କମିଛି ବର୍ଷା ପରିମାଣ । ଜୁନ ୧ରୁ ଆଜି ସୁଦ୍ଧା ରାଜ୍ୟରେ ୯ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ସ୍ୱାଭାବିକ ବର୍ଷା ପରିମାଣ ୫୬୦ ମିଲିମିଟର ଥିବା ବେଳେ ଏବେ ସୁଦ୍ଧା ୫୧୨ ମିଲିମିଟର ବର୍ଷା ହୋଇଛି । ୨ଟି ଜିଲ୍ଲାରେ ଅଧିକ, ୨୩ ଜିଲ୍ଲାରେ ସ୍ୱାଭାବିକ ବୃଷ୍ଟିପାତ ରେକର୍ଡ କରିଛି ପାଣିପାଗ ବିଭାଗ । ୫ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ଆଗାମୀ ଦୁଇ ଦିନରେ ରାଜ୍ୟର କିଛି ସ୍ଥାନରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି ।

ଦୁର୍ବଳ ମୌସୁମୀ ଯୋଗୁ ବଢୁଛି ତାତି । ଅଗଷ୍ଟରେ ପୂର୍ବ-କେନ୍ଦ୍ରୀୟ, ପୂର୍ବ ଓ ଉତ୍ତର-ପୂର୍ବ ଭାରତର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ । ଓଡ଼ିଶାରେ ଗତ କିଛି ଦିନ ହେଲାଣି ତାତି ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଛି । ଆସନ୍ତା ୨୪ ଘଣ୍ଟା ଯାଏ ରାଜ୍ୟର ଅନେକ ଜିଲ୍ଲାରେ ଦିନର ତାପମାତ୍ରା ୩-୪ ଡିଗ୍ରୀ ସେଲସିୟସ୍‌ ଯାଏ ଅଧିକ ରହିବ । ତାପରେ ୨-୩ ଡିଗ୍ରୀ ଯାଏ ତଳକୁ ଖସିବାର ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.