ଜୁଲାଇରେ ସ୍ବାଭାବିକଠାରୁ ଅଧିକ ବର୍ଷା, ଆଜି ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର : ଜୁଲାଇ ମାସରେ ସକ୍ରିୟ ରହିବ ମୌସୁମୀ । ଏହା ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଜୁଲାଇରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । IMD ଆକଳନ ଅନୁସାରେ ଦେଶରେ ବର୍ଷା ପରିମାଣ ସ୍ବାଭାବିକ ଠାରୁ ଅଧିକ ରହିବ। ସୁନ୍ଦରଗଡ଼, କେନ୍ଦୁଝର, ଭଦ୍ରକ, ଯାଜପୁର, ଦେବଗଡ଼, ଢେଙ୍କାନାଳ ଓ କେନ୍ଦ୍ରାପଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ୭୫ ପ୍ରତିଶତ ଅଧିକ ରହିଛି ।
ଆଜି ୧୦ଟି ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଦେବଗଡ଼, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁରରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଜିଲ୍ଲା ମାନଙ୍କରେ ବର୍ଷାର ପରିମାଣ ଅଧିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୪ତାରିଖ ଠାରୁ ବର୍ଷାର ପରିମାଣ ସାମାନ୍ୟ ହ୍ରାସ ପାଇବ।
ରାଜ୍ୟରେ ଏଯାଏ ୨୪ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ଜୁନ ୧ରୁ ଏହି ସମୟ ମଧ୍ୟରେ ବର୍ଷାର ସ୍ବାଭାବିକ ପରିମାଣ ୨୧୬. ୫ ମିମି ରହିଥିବା ବେଳେ ୧୬୪ ମିମି ବର୍ଷା ରେକର୍ଡ ହୋଇଛି। ଗୋଟିଏ ଜିଲ୍ଲା ମାଲକାନଗିରିରେ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ୧୩ଜିଲ୍ଲାରେ ସ୍ବାଭାବିକ, ୧୫ ଜିଲ୍ଲାରେ ନିଅଣ୍ଟିଆ ଓ ଗୋଟିଏ ଜିଲ୍ଲା ମୟୂରଭଞ୍ଜରେ ସର୍ବାଧିକ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ଆଗକୁ ବର୍ଷା ବଢିଲେ ନିଅଣ୍ଟିଆ ବର୍ଷା ପରିମାଣ ଭରଣା ହେବ ବୋଲି ଆଶା ରହିଛି।