ଜଣ୍ଡିସ ରୋଗରେ ଆକ୍ରାନ୍ତ ୧୦୦ରୁ ଉର୍ଦ୍ଧ୍ବ ଲୋକ, ଗଲାଣି ଜଣଙ୍କ ଜୀବନ
ପିଲା ଠୁ ବୁଢ଼ା ସମସ୍ତେ ଏବେ ଜଣ୍ଡିସ ରୋଗରେ ଆକ୍ରାନ୍ତ । ବୁଦ୍ଧି ବାଟ କିଛି ଦେଖା ଯାଉନି । ଯେତେ ହସ୍ପିଟାଲ ଗଲେ ବି ରୋଗ ଭଲ ହେଉନି । ୧୦୦ରୁ ଅଧିକ ଲୋକ ଏବେ ଜଣ୍ଡିସ ରୋଗରେ ଆକ୍ରାନ୍ତ । ଏନେଇ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ରହିଛନ୍ତି । ନୟାଗଡ଼ ଜିଲ୍ଲା ସୀମାନ୍ତ ପଞ୍ଚାୟତ ଚାନ୍ଦପୁର ଓ ଜେମାଦେଇପୁର ଗାଁରେ ବ୍ୟାପିଲାଣି ଜଣ୍ଡିସ ରୋଗ । ଲୋକମାନେ ସଚେତନ ହେବା ପାଇଁ ବିଭିନ୍ନ ପ୍ରକାର ସଚେତନତା ନାରା ଦେଇ ବୁଲୁଛି ପ୍ରଚାର ଗାଡ଼ି । ନଳକୂପ ଚାରିପଟେ ଅନବନା ଘାସବୁଦା, ମେଲଣ ପଡିଆ ରାସ୍ତା ପାର୍ଶ୍ବରେ କୁଡକୁଡ ଅଳିଆ ଆବର୍ଜ୍ଜନା । ଗାଁ ମଝିରେ ପିଲା ଠାରୁ ବୁଢ଼ା ଜଣଙ୍କ ପରେ ଜଣଙ୍କର ଚାଲିଛି ପରୀକ୍ଷା ନିରୀକ୍ଷା । ଏହା ସହ ସ୍ବାସ୍ଥ୍ୟ ବିଭାଗ ତରଫରୁ ରକ୍ତ ଓ ଜଳ ନମୁନା ସଂଗ୍ରହ କାର୍ଯ୍ୟ ମଧ୍ୟ ଚାଲିଛି ।
ଜଣ୍ଡିସ ଆତଙ୍କ ଏ ଅଞ୍ଚଳରେ ଦିନେ କି ଦୁଇ ଦିନରେ ବ୍ୟାପିନାହିଁ । ବହୁଦିନ ଧରି ଏହି ଜଣ୍ଡିସରେ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ଶିଶୁ ମହିଳା ଓ ପୁରୁଷ ଆକ୍ରାନ୍ତ ହୋଇ ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଛନ୍ତି । ପାନୀୟ ଜଳରୁ ଏହି ଜଣ୍ଡିସ ରୋଗ ବ୍ୟାପୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇ ଜଣେ ମହିଳାଙ୍କ ଜୀବନ ଚାଲି ଯାଇଛି । ମୃତ ମହିଳାଙ୍କ ନାମ ପୁଷ୍ପା ସାହୁ ବୟସ ୩୦ । ସେ ଚାନ୍ଦପୁର ଗାଁର ବୋଲି ଜଣାପଡ଼ିଛି । ସେ ବିବାହିତ ଓ ତାଙ୍କର ଗୋଟିଏ ଛୋଟ ପୁଅ ଥିବା ଜଣା ପଡିଛି ।
ତୁରନ୍ତ ସ୍ୱାସ୍ଥ୍ୟ ବିଭାଗ ଏହି ଘଟଣାକୁ ଗୁରୁତର ସହ ନେଇ ଉତ୍ତମ ଚିକିତ୍ସା ଯୋଗାଇଲେ ଗରିବ ଲୋକଙ୍କ ଦୁଃଖ ଦୂର ହେବ । ନହେଲେ ଯେ କେତେ ଲୋକ ଏହି ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇବେ କହି ହେବନି ।