କାଳ ହେଲା ବଜ୍ରପାତ, ଜଳି ପୋଡ଼ି ପାଉଁଶ ହୋଇଗଲା ୩୬ରୁ ଉର୍ଦ୍ଧ୍ୱ ଘର

ଏହି ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡିନଥିଲେ ବି ଏହା ବଜ୍ରପାତରେ ହୋଇଛି ବୋଲି ଅନୁମାନ କରାଯାଉଛି । କାଳିଗଦି ଗ୍ରାମରେ ହଠାତ ହେମନ୍ତ ପଳାଇଙ୍କ ଘରେ ପ୍ରଥମେ ନିଆଁ ଲାଗିଥିଲା ।

ବାସୁଦେବପୁର ବ୍ଲକର ଆନ୍ଦୋଳା ପଞ୍ଚୟତର କାଶୀପୁର ଗାଁରେ ଘଟିଯାଇଛି ଅଭାବନୀୟ ଘଟଣା । ଏହି ଗାଁର ୭ ପରିବାରର ୧୬ ବଖରା ଘର ଓ ବିରସ ପଞ୍ଚାୟତର କାଳିଗଦି ଗ୍ରାମର ୧୪ ରୁ ଉର୍ଦ୍ଧ୍ୱ ପରିବାରର ୨୦ରୁ ଅଧିକ ଘର ଜଳି ପୋଡି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡିନଥିଲେ ବି ଏହା ବଜ୍ରପାତରେ ହୋଇଛି ବୋଲି ଅନୁମାନ କରାଯାଉଛି । କାଳିଗଦି ଗ୍ରାମରେ ହଠାତ ହେମନ୍ତ ପଳାଇଙ୍କ ଘରେ ପ୍ରଥମେ ନିଆଁ ଲାଗିଥିଲା । ଚାହୁଁ ଚାହୁଁ ସମଗ୍ର ସାହିରେ ନିଆଁ ବ୍ୟାପି ଯାଇଥିଲା । ଏହି ନିଆଁରେ ଲକ୍ଷ ଲକ୍ଷ ଟଙ୍କା ସହିତ ଧାନ ସମ୍ପତ୍ତି ଜଳି ପୋଡ଼ି ନଷ୍ଟ ହୋଇଥିବା ବେଳେ ଦୁଇଟି ଗାଇ ଓ ୩ ଟି ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।

ଗ୍ରାମବାସୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିବା ସହିତ ବାସୁଦେବପୁର ଦମକଳବାହିନୀକୁ ଖବର ଦେଇଥିଲେ। ବାସୁଦେବପୁର ଦମକଳବାହିନୀ ପହଞ୍ଚିବା ସହିତ ଧାମରା ଦମକଳ ବାହିନୀକୁ ଖବର ଦେଇଥିଲେ। ଧାମରା ଓ ବାସୁଦେବପୁର ଦମକଳ ବାହିନୀ ଦୀର୍ଘ ଘଣ୍ଟା ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ଖବରପାଇ ବାସୁଦେବପୁର ତହସିଲଦାର ସୌଭାଗ୍ୟ ପଣ୍ଡାଙ୍କ ସମେତ ସମସ୍ତ ଅନ୍ୟମାନେ ଘଟଣାସ୍ଥଳରେ ପହଁଚି ବିପନ୍ନ ପରିବାରକୁ ସାନ୍ତ୍ୱନା ଦେବା ସହିତ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ ।

ସେହିପରି ଆନ୍ଦୋଳା ପଞ୍ଚାୟତର କାଶୀପୁର ଗ୍ରାମର ୭ ପରିବାରର ୧୬ ବଖରା ଘର ପୋଡ଼ିଯାଇଛି । ହେଲେ ଏହି ନିଆଁ କୁ ଦମକଳ ବାହିନୀ ଆସିନପାରିବାରୁ ଗ୍ରାମବାସୀ ମାନେ ନିଜେ ନିଆଁକୁ ଆୟତ୍ତ କରିଥିଲେ। ଘର ଜଳି ପୋଡ଼ି ପାଉଁଶ ହୋଇଯିବା ପରେ ସମସ୍ତେ ଏବେ ଚିନ୍ତାରେ ଅଛନ୍ତି । ଯଦି ଏମାନଙ୍କୁ ସରକାରୀ ସାହାଯ୍ୟ ମିଳନ୍ତା ତେବେ ହୁଏତ ଏମାନଙ୍କ ଦୂଃଖ ଦୂର ହୋଇପାରନ୍ତା ।

You might also like