କେମିତି ଚଳିବ ଆମ ସଂସାର, ମାସେ ହେଲାଣି ଘରକୁ ପୁରାଇ ଦେଉନାହାନ୍ତି

ଭଦ୍ରକ : ଦିନେ ନୁହେଁ କି ଦୁଇ ଦିନ ନୁହେଁ ଦୀର୍ଘ ଏକ ମାସରୁ ଅଧିକ ସମୟ ହେଲାଣି ପୁନଃ ଆକ୍ରମଣ ଭୟରେ ଗାଁକୁ ଫେରି ପାରୁନାହାନ୍ତି ଗୋଟିଏ ଗାଁର ୪୦ ରୁ ଅଧିକ ପରିବାର । ଏପରି ସ୍ଥଳେ ସ୍ଥାନୀୟ ପୋଲିସ୍ ଚୁପ୍ ବସିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନସ୍ଥ ତଳ କାଁପଡା ଗ୍ରାମରେ । ଏହି ଗାଁରେ ନଦୀ ବନ୍ଧ ନିର୍ମାଣକୁ ନେଇ ଗୋଷ୍ଠି ବିବାଦରୁ ଗତ ମାସ ୮ତାରିଖରେ ହୋଇଥିଲା ସଂଘର୍ଷ । ଯେଉଁଥିରେ ୫ଜଣ ଆହତ ହୋଇଥିଲେ ।

ଏଥିରେ ଗୋଟିଏ ଗୋଷ୍ଠିର କେତେକ ଲୋକଙ୍କ ଘର ଉପରେ ଅତର୍କୀୟ ଆକ୍ରମଣ କରାଯାଇଥିବାବେଳେ, ଘରର ଆସବାବପତ୍ର ଭଙ୍ଗା ରୁଜା ହୋଇଥିଲା । ଏପରିକି ଜୀବନରୁ ମାରି ଦେବାକୁ ଉଦ୍ୟମ ହେବାରୁ ଏହି ଗାଁର ପ୍ରାୟ ୪୦ରୁ ଅଧିକ ପରିବାରର ଲୋକ ନିଜ ଘରୁ ଭୟଭୀତ ହୋଇ ପଳାଇ ଆସିଥିଲେ । ହେଲେ ଦୁଃଖର ବିଷୟ ଯେ ଆଜିକୁ ଏକ ମାସ ରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଏହି ପରିବାର ଏଯାଏ ନିଜ ଗାଁକୁ ଫେରି ପାରୁନାହାନ୍ତି ।

ଏପରିକି ଲୁଚିଛପି ସେମାନେ ନିଜ ବନ୍ଧୁବାନ୍ଧବଙ୍କ ଘରେ ଆଶ୍ରୟ ନେଇଛନ୍ତି । କେହି କେହି ଅନ୍ୟ ଗାଁରେ ଆସି ନିଜ ପିଲା ଛୁଆଁଙ୍କୁ  ଧରି ଆଶ୍ରୟ ନେଇଛନ୍ତି । ତେବେ ଏ ବିଷୟରେ ତିହିଡି ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲିସ୍ କେବଳ ଶୁଣି ଦେଇ ଚୁପ୍ ବସିଛି । ତେଣୁ ଅନ୍ୟ ଗୋଷ୍ଠିର ଲୋକମାନେ ଘରୁ ପଳାଇ ଯାଇଥିବା ଲୋକମାନଙ୍କ ପାଚିଲା ଧାନକୁ ଜୋର ଜବରଦସ୍ତି ଭାବେ କାଟି ନେବାକୁ କହିବା ସହିତ ସେମାନଙ୍କୁ ବିଭିନ୍ନ ବାଟରେ ନାନାଦି ହଇରାଣ ହରକତ କରୁଛନ୍ତି । ଫଳରେ ସେମାନଙ୍କ ଜୀବନ ଓ ଜୀବିକା ଦୁଇଟି ଦୁର୍ବିସହ ହୋଇପଡିଛି । ତେଣୁ ପୋଲିସ୍ ର ଏପରି ସ୍ଥାଣୁତାକୁ ବିରୋଧ କରିବା ସହିତ ସେମାନଙ୍କୁ ସୁରକ୍ଷିତ ଭାବେ ଗାଁରେ ପହଞ୍ଚାଇ ଶାନ୍ତି ପ୍ରତିଷ୍ଠା ପାଇଁ ସେମାନେ ଭଦ୍ରକ ଆସି ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ନିଜର ଗୁହାରୀ ଜଣାଇଛନ୍ତି ।

ଏହି ଏହି ପରିପେକ୍ଷୀରେ ଗାଁର ପ୍ରାୟ ୪୦ ରୁ ଅଧିକ ପୁରୁଷ ଓ ମହିଳା ଏକାଠି ହୋଇ ପ୍ରଥମେ ଜିଲ୍ଲାପାଳ ଓ ପରେ ରାତିରେ ଭଦ୍ରକ ଏସପିଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିବା ସହିତ ନ୍ୟାୟ ଓ ସୁରକ୍ଷା ପାଇଁ ନିବେଦନ କରିଛନ୍ତି । ଏହି ଘଟଣା ତମାମ ଜିଲ୍ଲାରେ ଏକ ଆଲୋଡନ ସୃଷ୍ଟି କରିଛି । ତେବେ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ସମାଧାନ ଦିଗରେ ପଦକ୍ଷପ ନେବା ସହ ଏହି ପରିବାର ଲୋକଙ୍କୁ ନିଜ ଘରକୁ ଫେରାଇ ଆଣିବାକୁ ପ୍ରଶାସନ ହସ୍ତକ୍ଷେପ କରିବା ଅତ୍ୟନ୍ତ ଜରୁରୀ ।

 

You might also like