ଖୁବ ଶୀଘ୍ର ରାଜ୍ୟର ୬ ଲକ୍ଷରୁ ଅଧିକ ପରିବାରକୁ ମିଳିବ ରାସନକାର୍ଡ, ଅଯୋଗ୍ୟଙ୍କ ନାଁ କଟିବ: ଖାଉଟି କଲ୍ୟାଣ ମନ୍ତ୍ରୀ

ଭୁବନେଶ୍ୱର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୬ ଲକ୍ଷ ୧୯ ହଜାର ୮ ଶହ ୩୬ ପରିବାର ରାସନ୍ କାର୍ଡ ପାଇବା ପାଇଁ ଆବେଦନ କରିଛନ୍ତି । ଜୟପୁର ନିର୍ବାଚନ ମଣ୍ଡଳୀରେ ୧୦୧୭ ପରିବାର ଏଥିରେ ଅଛନ୍ତି । ୬ ଲକ୍ଷରୁ ଅଧିକ ଆଶାୟୀ ଆବେଦନ କରିଛନ୍ତି । ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବା ପାଇଁ ପ୍ରକିୟା ଆରମ୍ଭ ହୋଇଗଲାଣି, KYC ଅପଡେଟ୍ କରାଯାଉଛି ବୋଲି ବିଧାନସଭାରେ ଉତ୍ତର ରଖି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ସେ ଆହୁରି ମଧ୍ୟ କହିଛନ୍ତି, ଅଯୋଗ୍ୟ ହିତାଧିକାରୀଙ୍କୁ କାଟିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାସ୍ତରରେ ଏହି କାମ ଚାଲିଛି । ବହୁ ଜିଲ୍ଲାରେ ହଜାରେରୁ ଅଧିକ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହେଲେଣି । ଘର ଘର ବୁଲି ଯାଞ୍ଚ ଚାଲିଛି । ମାସେ ଭିତରେ ହିତାଧିକାରୀଙ୍କ ନୂଆ ତଥା ଚୂଡାନ୍ତ ତାଲିକା ଆସିବ । ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଅଧୀନରେ ୯୨ ଲକ୍ଷ ୬୬ ହଜାର ୪୯୧ ପରିବାରର ୩,୨୫,୯୩,୮୭୫ ହିତାଧିକାରୀ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩ ଲକ୍ଷ ୧୫ ହଜାର ୨୩୭ ପରିବାରର ୧୦,୦୨,୧୪୪ ହିତାଧିକାରୀ ଉପକୃତ ହେଉଛନ୍ତି ବୋଲି କହିଛନ୍ତି ଖାଦ୍ଯ ଯୋଗାଣ ଓ ଖାଉଟି କଲ୍ଯାଣ ମନ୍ତ୍ରୀ ।