ତପସ୍ୱିନୀଙ୍କ ପାଇଁ ଶହ ଶହ ମହିଳା ଏକଜୁଟ ହେଲେ, ସୁମିତଙ୍କ ଘର ଗେଟ୍‌ ଭାଙ୍ଗିଲେ

ବ୍ରହ୍ମପୁର (କେନ୍ୟୁଜ୍‌) : ପାରିବାରିକ ଝଗଡ଼ା ଆହୁରି ଭୟଙ୍କର ମୋଡ଼ ନେଲା । ନ୍ୟାୟ ଦାବିରେ ସ୍ୱାମୀଙ୍କ ଦୁଆରେ ବସିଥିବା ପତ୍ନୀ ତପସ୍ୱିନୀ ମାମଲାରେ ଆଜି ଘଟିଛି ଆଉ ଏକ ଅଘଟଣା । ତାଙ୍କ ସମର୍ଥନରେ ଶହ ଶହ ମହିଳା ବାହାରିଛନ୍ତି । କିଛି ସମୟ ପୂର୍ବରୁ ସେମାନେ ବ୍ରହ୍ମପୁର ସ୍ଥିତ ସ୍ୱାମୀ ସୁମିତଙ୍କ ଘର ଗେଟ୍‌ ଭାଙ୍ଗି ଧସେଇ ପଶିଛନ୍ତି । ଏହା ପୂର୍ବରୁ କୋର୍ଟ ଉଭୟ ସୁମିତ ଓ ତପସ୍ୱିନୀଙ୍କୁ ଭଡ଼ା ଘର ନେଇ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ।

ପୂର୍ବରୁ ପତି-ପତ୍ନୀ ତିକ୍ତତାରେ ଏବେ ଗୋଟିଏ ପରେ ଗୋଟିଏ ନୂଆ ଟ୍ଵିଷ୍ଟ ସାମ୍ନାକୁ ଆସିଥିଲା । ସୁମିତ-ତପସ୍ୱିନୀଙ୍କ ଭିତରେ ଭିଡିଓ-ଅଡିଓ ଓ୍ଵାର୍‌ ଜୋରଦାର ଚାଲିଥିବା ବେଳେ ଆଜି ସନ୍ଧ୍ୟାରେ ମହିଳାମାନେ ଏକାଠି ହୋଇ ଏଭଳି କାଣ୍ଡ ଘଟାଇଛନ୍ତି । କାଲି ତପସ୍ୱିନୀ ୮ ଲକ୍ଷ ଟଙ୍କା ସୁମିତଙ୍କୁ ମାଗୁଥିବାର ଏକ ଭିଡିଓ ଭାଇରାଲ୍‌ ହୋଇଥିଲା । ଆଜି ଦୁହେଁ ନୂଆ ଅଡ଼ିଓ ଜାରି କରିଛନ୍ତି । ପାରିବାରିକ ବିବାଦ ସମାଧାନ ହେବା ବଦଳରେ ଆହୁରି ତିକ୍ତ ହୋଇଛି । ଚାରି ଦିନ ହେଲାଣି ଶ୍ୱଶୁର ଘର ଆଗରେ ତପସ୍ୱିନୀ ଧାରଣାରେ ବସିଛନ୍ତି । ସେପଟେ ଏପର୍ଯ୍ୟନ୍ତ ସୁମିତଙ୍କ ଦେଖା ମିଳି ନାହିଁ । ସେପଟେ ତପସ୍ୱିନୀଙ୍କୁ ଭଡ଼ା ଘରେ ରଖିବାକୁ ସୁମିତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବ୍ରହ୍ମପୁର ଏସଡିଜେଏମ୍‌ କୋର୍ଟ । ତପସ୍ୱିନୀଙ୍କୁ ନେଇ ସମସ୍ତ ସୁବିଧା ଥିବା ଭଡ଼ା ଘରେ ରହିବାକୁ କୋର୍ଟ ନିର୍ଦ୍ଦେଶରେ କହିଛନ୍ତି ।

ବ୍ରହ୍ମପୁରର ଡାକ୍ତର ସୁମିତ ସାହୁ ଓ ପତ୍ନୀ ତପସ୍ୱିନୀଙ୍କ ପାରିବାରିକ ବିବାଦ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ତପସ୍ୱିନୀଙ୍କ ସପକ୍ଷରେ ଆଗେଇ ଆସିଛନ୍ତି ମହିଳା । ଶହଶହ ମହିଳା ଏକାଠି ହୋଇ ସୁମିତଙ୍କ ଘର ସାମ୍ନାରେ ଭିଡ ଜମାଇଛନ୍ତି । ତପସ୍ୱିନୀଙ୍କ ନ୍ୟାୟ ନ୍ୟାୟ ଦାବି କରି ସେମାନେ ନାରା ଦେଉଛନ୍ତି । ତା ଭିତରେ ଗେଟ୍‌ ଭାଙ୍ଗି ଦେଇଥିଲେ । ତେବେ ଏଭଳି ଜୋରଜବରଦସ୍ତରେ ତାଙ୍କର କିଛି ହାତ ନାହିଁ ବୋଲି ତପସ୍ୱିନୀ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.