ଖରା ଯୋଗୁଁ ହେଲା ସକାଳୁଆ ଅଫିସ, ହେଲେ କର୍ମଚାରୀଙ୍କର ଦେଖା ଦର୍ଶନ ନାହିଁ

ବାସୁଦେବପୁର: ସକାଳୁ ସକାଳୁ ସରକାରୀ କାର୍ଯ୍ୟାଳୟରେ ଲାଗିଲାଣି ଲୋକଙ୍କ ଭିଡ । ହେଲେ ସରକାରୀ କାର୍ଯ୍ୟାଳୟମାନଙ୍କରେ ଝୁଲୁଛି ତାଲା । ଗୋଟିଏ କି ଦୁଇଟି କାର୍ଯ୍ୟାଳୟ ନୁହେଁ ସବୁଆଡେ ସମାନ ଅବସ୍ଥା ଦେଖିବାକୁ ମିଳିଛି । କେଉଁ କାର୍ଯ୍ୟାଳୟରେ ପିଅନ ଫାଟକ ଖୋଲିଥିବା ବେଳେ କେଉଁଠାରେ ଫାଟକ ଖୋଲା ନଯାଇ ଝୁଲୁଛି ତାଲା । ଆଉ କେଉଁଠାରେ ସରକାରକା ମାଲ ଦରିଆ ମେ ଡାଲ ଭଳି ଫାଟକ ଖୋଲା ଅଛି ହେଲେ କର୍ମଚାରୀ ନାହାନ୍ତି କିନ୍ତୁ ଫ୍ୟାନ ଆଉ ଏସି ଅନବରତ ଚାଲିଛି । ଏ ହେଉଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସମେତ ପୌରପାଳିକା ମଧ୍ୟରେ ଥିବା ସମସ୍ତ କାର୍ଯ୍ୟାଳୟର ଦୃଶ୍ୟ ।
ଖୋଦ ବଡ ବଡିଆ ବାବୁମାନେ ଆସି ନାହାନ୍ତି ତଳ ତଳିଆ କର୍ମଚାରୀଙ୍କୁ କହିବ କିଏ । ଏ ହେଉଛି ଆରଡିର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ । ମୁଖ୍ୟ ଫାଟକ ସମେତ ସବୁଥିରେ ପଡିଛି ତାଲା । କେହି କର୍ମଚାରୀ ଆସି ନାହାନ୍ତି । ସମୟ ଆସି ସକାଳ ୭.୩୦ ରୁ ୮.୩୦ ବାଜିବାକୁ ବସିଲାଣି । ଦେଢ ଘଣ୍ଟା ବିତିଯାଇଥିଲେ ମଧ୍ୟ ସରକାରୀ ବାବୁ ମାନଙ୍କର ନିଦ ଭାଙ୍ଗୁନି । ସେହିପରି କିଛି କାର୍ଯ୍ୟାଳୟରେ କର୍ମଚାରୀଙ୍କୁ ଛାଡି କେବଳ ପିଅନ ଫାଟକ ଖୋଲି ଜଗିବସିଛି ।
ସରକାରଙ୍କ ମୋ ସରକାର କକ୍ଷ ଠାରୁ ଆରମ୍ଭ କରି ଓଡିଶା ଜୀବିକା ମିଶନ ଓ ତହସିଲ କାର୍ଯ୍ୟାଳୟରେ ତାଲା ଝୁଲୁଥିବାରୁ ଲୋକେ ଅପେକ୍ଷା କରି ଫେରି ଯାଉଛନ୍ତି । ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଉପକୂଳ ଓଡିଶାରେ ସକାଳ ୭ଟାରୁ ସରକାରୀ କାର୍ଯ୍ୟାଳୟ ଖୋଲାଯାଇ ଅପରାହ୍ନ ୧ଟାରେ ବନ୍ଦ ହେବାର ନିୟମ ରହିଛି । ଏହା ଜୁନ ୧୫ତାରିଖ ପର୍ଯ୍ୟନ୍ତ ଚାଲିବ । କିନ୍ତୁ ସରକାରୀବାବୁ ମାନେ ସରକାରଙ୍କ ନିୟମକୁ ଫୁ କରି ଦିନ ୯ଟାରେ କାର୍ଯ୍ୟାଳୟକୁ ଆସୁଛନ୍ତି । ପୌରପାଳିକା କାର୍ଯ୍ୟାଳୟ, ତହସିଲ, ପଞ୍ଚାୟତ ସମିତି, କୃଷି ବିଭାଗ, ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ଭଳି ଅନେକ ସରକାରୀ କାର୍ଯ୍ୟାଳୟ ରହିଛି ।
ଯାହାର ଅଧିକାଂଶ ଅଧିକାରୀ ଗଳାବାଟ ଦେଇ ଖସି ଯାଉଛନ୍ତି । ଏଠାକାର କର୍ମଚାରୀମାନେ ଭଦ୍ରକ, ବାଲେଶ୍ୱର ଓ ଯାଜପୁରରେ ରହୁଥିବାରୁ ଡେରିରେ ପହଞ୍ଚୁଛନ୍ତି ବୋଲି କହିଛନ୍ତି । କେବଳ ପିଅନ ଆସି କାର୍ଯ୍ୟାଳୟର ତାଲା ଖୋଲି ଫେରିଯାଇଛି । ହେଲେ କାର୍ଯ୍ୟାଳରେ ଟେବୁଲ ଚେୟାର ଫାଙ୍କା ପଡିଥିବା ବେଳେ ଘାଇଁ ଘାଇଁ ହୋଇ ଘୁରୁଛି ପଂଖା । କିଛି କର୍ମଚାରୀଙ୍କୁ ପଚାରିବାରୁ କିଛି କହିବେନି ବୋଲି ମନା କରୁଥିବା ବେଳେ କିଛି ଫିଲ୍ଡରେ କାମ କରୁଛୁ ବୋଲି କହିଛନ୍ତି । ସରକାର ଏହି କାର୍ଯ୍ୟାଳୟ ପ୍ରତି ଦୃଷ୍ଟି ଦେଇ ଠିକ ସମୟରେ କାର୍ଯ୍ୟାଳୟ ଖୋଲିଲେ ଦୁରଦୁରାନ୍ତରୁ ଆସୁଥିବା ସାଧାରଣ ଲୋକଟିଏ ଉପକୃତ ହୋଇପାରନ୍ତେ ବୋଲି ଦାବୀ ହେଉଛି ।
Also read: କିନ୍ନର ବେଶରେ ପିଲା ଚୋରି କଲେ ପୁରୁଷ, ଚୋରଙ୍କୁ ଧରିଲା କିନ୍ନର ସଂଘ